ନୂଆଦିଲ୍ଲୀ,୧୧/୦୫: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ଯାତ୍ରୀବାହୀ ଇନୋଭା ଗାଡ଼ି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡ଼ିଛି । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ଚମ୍ବା-ତିସା ମାର୍ଗର ପାଙ୍ଗୀ ଶୂନ୍ୟ ପଏଣ୍ଟ ନିକଟରେ ଘଟିଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ, ବୁଲାଣି ରାସ୍ତାରେ ନିୟନ୍ତ୍ରଣ ହରାଇବା ଯୋଗୁଁ ଗାଡ଼ିଟି ପ୍ରାୟ ଶହେ ଫୁଟ୍ ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକ ଏବଂ ପୋଲିସ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।