ନୂଆଦିଲ୍ଲୀ: ସୋମନାଥ ମନ୍ଦିରର ପୁନଃପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୁଜରାଟରେ ‘ସୋମନାଥ ଅମୃତପର୍ବ-୨୦୨୬’ ମହାସମାରୋହରେ ପାଳିତ ହେଉଛି । ଏହି ଐତିହାସିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ପ୍ରଭୁ ସୋମନାଥଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମନ୍ଦିରର ସମୃଦ୍ଧ ଇତିହାସ ଏବଂ ସଂଘର୍ଷର କାହାଣୀକୁ ପ୍ରଦର୍ଶିତ କରୁଥିବା ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ମଧ୍ୟ ଉନ୍ମୋଚିତ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ଭାରତୀୟ ବାୟୁସେନାର ଭବ୍ୟ ‘ଏୟାର ସୋ’, ଯେଉଁଠାରେ ଯୁଦ୍ଧବିମାନଗୁଡ଼ିକ ଆକାଶରେ ଚିତ୍ତାକର୍ଷକ କଳାକୌଶଳ ପ୍ରଦର୍ଶନ କରିଥିଲେ । ମନ୍ଦିରରେ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ପ୍ରାଙ୍ଗଣରେ ଅନୁଷ୍ଠିତ ଭବ୍ୟ ‘କୁମ୍ଭାଭିଷେକ’ ଉତ୍ସବର ସାକ୍ଷୀ ହୋଇଥିଲେ । ଅବସରରେ ମନ୍ଦିର ଶିଖରରେ ଧ୍ୱଜାରୋହଣ କରାଯାଇଥିଲା। ସୋମନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ପ୍ରଧାନମନ୍ତ୍ରୀ ଭାରତର ସାଂସ୍କୃତିକ ପୁନରୁତ୍ଥାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଉତ୍ସବର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ଭାରତୀୟ ବାୟୁସେନାର ହେଲିକପ୍ଟର ଯୋଗୁଁ ହୋଇଥିବା ପୁଷ୍ପବୃଷ୍ଟି ।