ଭୁବନେଶ୍ୱର,୦୪/୧୧: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ରାସ ବିହାରୀ ବେହେରା । ତାଙ୍କ ବିୟୋଗରେ ରାଜ୍ୟ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା । ଜଣେ ଅଭିଜ୍ଞ ଜନପ୍ରତିନିଧି ଭାବରେ ରାଜ୍ୟ ରାଜନୀତିରେ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ । ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଭାବରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଲୋକଙ୍କ ସହ ଯୋଡ଼ି ହୋଇ ରହିବା ଏବଂ ସେମାନଙ୍କ ସମସ୍ୟାକୁ ରାଜନୈତିକ ମଞ୍ଚରେ ଉଠାଇବା ଥିଲା ତାଙ୍କର ପରିଚୟ । ୧୯୭୭ ମସିହାରେ କୋକସରା ବିଧାନସଭା ଆସନରୁ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ବିଧାନସଭାରେ ପହଞ୍ଚିଥିଲେ । ଏହାପରେ ୧୯୮୦ ମସିହାରେ କଳାହାଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇ ସଂସଦକୁ ଯାଇଥିଲେ । ପୁଣି ୧୯୮୫ ମସିହାରେ କୋକସରା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ବିକାଶ ପାଇଁ ତାଙ୍କର ଉଦ୍ୟମ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । କେବଳ ରାଜନୀତି ନୁହେଁ, ତାଙ୍କ ରଚିତ ଉପନ୍ୟାସ ‘ବିଜୟୀ’ ତାଙ୍କ ସାହିତ୍ୟିକ ପ୍ରତିଭାର ପରିଚୟ ଦିଏ । ସେହିପରି ‘ଅନନ୍ୟସୃଷ୍ଟି କାନାଡ଼ା’ ଭ୍ରମଣ ସାହିତ୍ୟ ମାଧ୍ୟମରେ ନିଜର ଅନୁଭୂତିକୁ ପାଠକଙ୍କ ନିକଟରେ ପହଞ୍ଚାଇଥିଲେ ।