ଭୁବନେଶ୍ୱର,୦୫/୦୫: ରେଳ ମାନଚିତ୍ରରେ ବଡ଼ ପରିବର୍ତ୍ତନ । ଗଠନ ହେଲା ଦକ୍ଷିଣତଟ ରେଳବାଇ , ରାୟଗଡ଼ାରେ ହେବ ନୂଆ ରେଳ ମଣ୍ଡଳ । ଜୁନ ୧ରୁ କାର୍ଯ୍ୟକାରୀ ହେବ ରାୟଗଡ଼ା ମଣ୍ଡଳ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ପୂର୍ବତଟ ରେଳବାଇ ଓ ଦକ୍ଷିଣ କେନ୍ଦ୍ର ରେଳତଟରୁ କିଛି ଅଞ୍ଚଳକୁ ନେଇ ଦକ୍ଷିଣତଟ ରେଳ କରାଯାଇଛି । ପୂର୍ବତନ ୱାଲଟିଅର୍ ମଣ୍ଡଳକୁ ଦୁଇ ଭାଗରେ ବିଭକ୍ତ କରାଯିବ । ଏଥିରୁ ଗୋଟିଏ ଅଂଶ ରାୟଗଡା ମଣ୍ଡଳରେ ଯୋଗ ହେବା ସହ, ଅନ୍ୟ ଅଂଶକୁ ବିଶାଖାପଟ୍ଟଣମ ମଣ୍ଡଳ ଭାବେ ନୂଆ ଦକ୍ଷିଣ ତଟ ରେଳବାଇରେ ମିଶ୍ରଣ କରାଯିବ । ଏହା ଫଳରେ ରେଳ ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଗମ କରିବାକୁ ସରକାର ଆଶା କରୁଛି । ନୂଆ ରାୟଗଡ଼ା ମଣ୍ଡଳ ଅଧୀନରେ ପ୍ରାୟ ୬୯୬ ରୁଟ୍ କିଲୋମିଟର ପରିବ୍ୟାପ୍ତରେ କୋରାପୁଟ-ସିଙ୍ଗାପୁର ରୋଡ୍, କୋଟାଭାଲାସା-କିରନ୍ଦୁଲ ଏବଂ ଗୁଣପୁର-ପାରଳାଖେମୁଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ରୁଟ୍ ସାମିଲ ରହିଛି । ଏହା ଓଡ଼ିଶାର ଦକ୍ଷିଣ ଅଞ୍ଚଳରେ ରେଳ ସଂଯୋଗକୁ ଆହୁରି ମଜବୁତ କରିବ। ଏହା ସହିତ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଓ ବିଶାଖାପଟ୍ଟଣମ ମଣ୍ଡଳ ମଧ୍ୟରେ କିଛି ପରିବର୍ତ୍ତନ ହେଉଛି ।