ପଶ୍ଚିମବଙ୍ଗରେ ମେ ୯ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୦୫/୦୫: ୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିବା ପରେ ଏବେ ସମସ୍ତଙ୍କ ନଜର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଛି। ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ୟ୍ୟଙ୍କ ସୂଚନା ଅନୁଯାୟୀ, ଆସନ୍ତା ୯ ତାରିଖରେ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । କାରଣ, ଏହି ଦିନଟି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ହୋଇଥିବାରୁ ଏହାକୁ ଏକ ସାଂସ୍କୃତିକ ଓ ଐତିହାସିକ ମୁହୂର୍ତ୍ତ ଭାବେ ଚୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୁଭେନ୍ଦୁ ଅଧିକାରୀ, ଦିଲୀପ ଘୋଷ ଏବଂ ସମିକ ଭଟ୍ଟାଚାର୍ୟ୍ୟଙ୍କ ନାମ ଚର୍ଚ୍ଚାରେ ଥିବାବେଳେ, ଚୂଡ଼ାନ୍ତ ନିଷ୍ପତ୍ତି ଦିଲ୍ଲୀରେ ବିଜେପିର ସଂସଦୀୟ ବୋର୍ଡ ନେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ପରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ୧୫ ବର୍ଷର ଟିଏମସି ଶାସନର ଅନ୍ତ ଘଟାଇ ବିଜେପି ୨୦୬ଟି ଆସନ ସହ ଏହି ବିରାଟ ବିଜୟ ହାସଲ କରିଛି।