ପ୍ରେମାନନ୍ଦ ଜୀ ମହାରାଜଙ୍କ ପ୍ରତିଦିନ ହେଉଥିବା ଭକ୍ତ-ଦର୍ଶନ ପଦଯାତ୍ରାକୁ ଅନିଶ୍ଚିତ କାଳ ପାଇଁ ରଖାଗଲା ସ୍ଥଗିତ

ନୂଆଦିଲ୍ଲୀ,୧୯/୦୫: ଧାର୍ମିକ ନଗରୀ ବୃନ୍ଦାବନରୁ ଏକ ବଡ଼ ଏବଂ ଦୁଃଖଦ ଖବର ସାମ୍ନାକୁ ଆସୁଛି । ପ୍ରସିଦ୍ଧ ସନ୍ଥ ପୂଜ୍ୟଗୁରୁ ପ୍ରେମାନନ୍ଦ ଜୀ ମହାରାଜଙ୍କ ପ୍ରତିଦିନ ହେଉଥିବା ଭକ୍ତ-ଦର୍ଶନ ପଦଯାତ୍ରାକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । କେଲି କୁଞ୍ଜ ସ୍ଥିତ ଆଶ୍ରମ ପକ୍ଷରୁ ମାଇକ୍‌ ଯୋଗେ ଏହି ସୂଚନା ସାର୍ବଜନୀନ କରାଯିବା ପରେ ଦେଶ-ବିଦେଶରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଶୋକ ଖେଳିଯାଇଛି । ପ୍ରିୟ ସନ୍ଥଙ୍କ ଗୋଟିଏ ଝଲକ ପାଇବା ପାଇଁ ବ୍ୟାକୁଳ ଭକ୍ତମାନେ ବର୍ତ୍ତମାନ ଆଶ୍ରମ ବାହାରେ ଭିଡ଼ ଜମାଇବା ସହ ଭାବବିହ୍ୱଳ ହୋଇପଡ଼ିଛନ୍ତି । ସୂଚନା ଅନୁଯାୟୀ, ପ୍ରେମାନନ୍ଦ ମହାରାଜ ପ୍ରତିଦିନ ନିଜ କେଲି କୁଞ୍ଜ ଆଶ୍ରମରୁ ସୌଭରୀ କୁଣ୍ଡ ପର୍ଯ୍ୟନ୍ତ ପଦଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କୁ ଦର୍ଶନ କରିବା ଏବଂ ଆଶୀର୍ବାଦ ନେବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ । କେବଳ ପଦଯାତ୍ରା ନୁହେଁ ଏହା ସହିତ ଆୟୋଜିତ ହେଉଥିବା ‘ଏକାନ୍ତ ବାର୍ତ୍ତା’ କାର୍ଯ୍ୟକ୍ରମକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି, ଯେଉଁଠାରେ ମହାରାଜ ଭକ୍ତମାନଙ୍କ ଆଧ୍ୟାତ୍ମିକ ଦୁଃଖ ଦୂର କରୁଥିଲେ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ହଠାତ୍ ଏହି ଯାତ୍ରାକୁ କାହିଁକି ବନ୍ଦ କରାଗଲା? ଆଶ୍ରମ ପ୍ରଶାସନ ପକ୍ଷରୁ ଏହାର କୌଣସି ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ । ତେବେ ଆଶ୍ରମ ସହ ଜଡ଼ିତ ସଦସ୍ୟମାନେ ସମସ୍ତ ଭକ୍ତଙ୍କୁ ଧୈର୍ଯ୍ୟ ବଜାୟ ରଖିବାକୁ ଏବଂ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ୱାସ ନକରିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *