ନୂଆଦିଲ୍ଲୀ,୨୫/୦୭: ନିଟ୍ ପେପର ଲିକ୍କୁ ନେଇ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଙ୍କ ପ୍ରତିବାଦ ଜାରି ରହିଛି । ଏହାରି ମଧ୍ୟରେ ଆରଏସଏସ ପ୍ରମୁଖ ମୋହନ ଭାଗବତ ଯୁବପିଢ଼ିଙ୍କୁ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ଆଜିର ଯୁବପିଢ଼ିଙ୍କୁ ଆଦେଶ ନୁହେଁ, ବରଂ ଆଲୋଚନା ଓ ବୁଝାଇବାର ଆବଶ୍ୟକତା ରହିଛି । ‘ବିଶ୍ୱ ମଙ୍ଗଲ୍ୟ ସଭା’ କାର୍ଯ୍ୟକ୍ରମରେ ଯୋଗଦେଇ ଆରଏସଏସ ପ୍ରମୁଖ ମୋହନ ଭାଗବତ କହିଛନ୍ତି, ଆଜିର ଯୁବପିଢ଼ି ପୂର୍ବ ପିଢ଼ି ଭଳି କେବଳ ଆଦେଶ ମାନୁନାହାନ୍ତି । ସେମାନେ ପ୍ରଶ୍ନ କରୁଛନ୍ତି ଏବଂ ପ୍ରତ୍ୟେକ କଥାର କାରଣ ଜାଣିବାକୁ ଚାହୁଁଛନ୍ତି । ମୋହନ ଭାଗବତ କହିଛନ୍ତି, ଯୁବପିଢ଼ିଙ୍କ ସହ ସମୟ ବିତାଇବା, ସ୍ନେହ ଦେବା ଏବଂ ସେମାନଙ୍କ ସହ ଖୋଲାଖୋଲି କଥା ହେବା ଦରକାର । ସେ କହିଛନ୍ତି, “ଆଦେଶ ନୁହେଁ, ଆଲୋଚନା ଦରକାର । ନିର୍ଦ୍ଦେଶ ନୁହେଁ, ସହମତି ଗଢ଼ିବା ଦରକାର।” ଯଦିଓ ସେ ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ପ୍ରତିବାଦର ସିଧାସଳଖ ଉଲ୍ଲେଖ କରିନଥିଲେ, ତାଙ୍କ ମନ୍ତବ୍ୟକୁ ବର୍ତ୍ତମାନ ପରିସ୍ଥିତି ସହ ଯୋଡ଼ି ଦେଖାଯାଉଛି ।