ଭୁବନେଶ୍ୱର,୦୯/୦୪: ସଂସଦରେ ମହିଳା ସଂରକ୍ଷଣ ଆଇନକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ସାଂସଦଙ୍କୁ ଆହ୍ବାନ କରିଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହିଳା ସଂରକ୍ଷଣ ଆଇନରେ ପ୍ରସ୍ତାବିତ ସଂଶୋଧନ କେବଳ ଏକ ଆଇନଗତ କାର୍ଯ୍ୟ ନୁହେଁ ବରଂ ଭାରତର କୋଟି କୋଟି ମହିଳାଙ୍କ ଆକାଂକ୍ଷାର ପ୍ରତିଫଳନ। ପୋଷ୍ଟ ହୋଇଥିବା ଏକ ସ୍ବାକ୍ଷରିତ ଲେଖାରେ ମୋଦୀ କହିଛନ୍ତି, ଭାରତର ସଭ୍ୟତା ନୀତି ଅନୁଯାୟୀ ମହିଳାଙ୍କ ବିକାଶରେ ସମାଜର ବିକାଶ ଅନ୍ତନିର୍ହିତ ରହିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୯ ଲୋକସଭା ନିର୍ବାଚନ ଓ ଆଗାମୀ ଦିନରେ ରାଜ୍ୟମାନଙ୍କରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହାକୁ ଲାଗୁ କରାଯିବ । ସେ ଆହୁରି କହିଛନ୍ତି ଯେ, ମହିଳା ସଂରକ୍ଷଣକୁ ଆଗକୁ ବଢ଼ାଇବା ପାଇଁ ଏକ ବିଲ୍ ଉପରେ ଆଲୋଚନା ଏବଂ ଏହାକୁ ପାରିତ କରିବା ପାଇଁ ସଂସଦ ଏପ୍ରିଲ ୧୬ ରେ ବସିବ। ସୂଚନାଯୋଗ୍ୟ, ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ତିନିଦିନିଆ ସ୍ବତନ୍ତ୍ର ଅଧିବେଶନ ବସିବ।