ନୂଆଦିଲ୍ଲୀ,୦୯/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମ ଦେଶର ସୈନ୍ୟ ଏବଂ ଯୁଦ୍ଧଜାହାଜ ଇରାନରେ ରହିବେ । ସେ ସ୍ପଷ୍ଟ କରିଛନ୍ତି, ଯଦି ଆଲୋଚନାର ଫଳାଫଳ ଆମ ଆଶା ପୂରଣ ନ କରେ, ତେବେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇପାରେ । ଇରାନରେ ସୈନ୍ୟ ରଖିବାର ଏହି ଘୋଷଣା ଟ୍ରମ୍ପ ଇରାନରେ ଅସ୍ତ୍ରବିରତି ଘୋଷଣା କରିବାର ୨୪ ଘଣ୍ଟା ପରେ ଆସିଛି । ଟ୍ରମ୍ପ ନିର୍ଦ୍ଦିଷ୍ଟ ଭାବରେ ହର୍ମୁଜ୍ ପ୍ରଣାଳୀ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଫଳରେ ଇରାନରେ ପରିସ୍ଥିତି ପୁଣି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି କରିଛି ।ଗୁରୁବାର ସକାଳେ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ଯେ, ମୂଳ ଚୁକ୍ତି ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ସମସ୍ତ ଆମେରିକୀୟ ଜାହାଜ, ବିମାନ, ସୈନ୍ୟ, ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ଇରାନ ଏବଂ ଏହାର ଆଖପାଖରେ ରହିବେ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ଯଥେଷ୍ଟ ଦୁର୍ବଳ ହୋଇଯାଇଛି, କିନ୍ତୁ ଶତ୍ରୁକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ଏବଂ ପରାସ୍ତ କରିବା ପାଇଁ ଇରାନର ସାମରିକ ଶକ୍ତି ଏବେ ବି ରହିଛି । ଯଦି କୌଣସି କାରଣରୁ ପରିସ୍ଥିତି ଆଶା ଅନୁସାରେ ନହେବ ତେବେ ପୂର୍ବ ପରି ଲଢ଼େଇ ଆରମ୍ଭ ହେବ। ଟ୍ରମ୍ପ କହିଛନ୍ତି, ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ, ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲା ଏବଂ ସୁରକ୍ଷିତ ରହିବ । ତେହେରାନ ଏଥିରୁ ପଛକୁ ହଟିପାରିବ ନାହିଁ। ଯଦି ଏପରି ହୁଏ, ତେବେ ଆମର ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି ।