ନୂଆଦିଲ୍ଲୀ,୦୭/୦୫: ନିର୍ବାଚନ ଫଳାଫଳ ବାହାରିବା ପରେ ପଶ୍ଚିମବଙ୍ଗରେ ଭୟଙ୍କର ରାଜନୈତିକ ହିଂସା । ଶୁଭେନ୍ଦୁ ଅଧିକାରୀଙ୍କ ପିଏକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହଯୋଗୀଙ୍କୁ ବୁଧବାର ଗୁଳି କରି ହତ୍ୟା କରାଯାଇଛି । ବିଧାନସଭା ନିର୍ବାଚନରେ ଦଳର ଐତିହାସିକ ବିଜୟର ମାତ୍ର ଦୁଇ ଦିନ ପରେ ଏହି ଘଟଣା ଘଟିଛି । ଶୁଭେନ୍ଦୁଙ୍କୁ ପିଏ ଚନ୍ଦ୍ରନାଥ ରଥ ଏକ ଚଳନ୍ତା କାରରେ ଥିବା ସମୟରେ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି କରିଛନ୍ତି ଦୁର୍ବୃତ୍ତ । ଯେଉଁଥିରୁ ତିନୋଟି ଗୁଳି ତାଙ୍କ ଦେହରେ ବାଜିଥିଲା । କୋଲକାତା ନିକଟସ୍ଥ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତମାନେ ତାଙ୍କ କାରକୁ ବାଇକରେ ପିଛା କରୁଥିଲେ ଏବଂ ଗାଡ଼ିର ଗତି ଧୀର ହେବା କ୍ଷଣି ସେମାନେ ଗୁଳି ଚଳାଇଥିଲେ । କାରର ବାମ ପାର୍ଶ୍ୱ କାଚ ଭାଙ୍ଗି ଗୁଳି ତାଙ୍କ ଶରୀରରେ ବାଜିଛି । ହତ୍ୟା ପଛରେ ଟିଏମସିର ହାତ ଥିବା ଅଭିଯୋଗ କରିଛି ବିଜେପି । ଚନ୍ଦ୍ରନାଥ ରଥ ଅନେକ ବର୍ଷ ଧରି ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ କାମ କରୁଥିଲେ । ନେତାଙ୍କ ରାଜନୈତିକ ସମନ୍ୱୟ ତଥା ଅନ୍ୟାନ୍ୟ କାର୍ଯ୍ୟ ବୁଝାବୁଝି କରୁଥିଲେ । ସେ ଶୁଭେନ୍ଦୁଙ୍କ ଅତି ନିକଟତର ବୋଲି ଜଣାଶୁଣା ଥିଲେ। ରଥଙ୍କ ସହ ଥିବା ବୁଦ୍ଧଦେବ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ଦିବ୍ୟେନ୍ଦୁ ଅଧିକାରୀ କହିଛନ୍ତି, ଘଟଣା ସମୟରେ ପିଏ ନିଜ ଗାଡ଼ି ଚଲାଉଥିଲେ ଏବଂ ଶୁଭେନ୍ଦୁ ତାଙ୍କ ସହ ନଥିଲେ। ସେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଏଥିରେ ତୃଣମୂଳ କଂଗ୍ରେସର ହାତ ଥିବା ଅଭିଯୋଗ କରିଛନ୍ତି ।