ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ଲହରିରୁ ନିସ୍ତାର ନାହିଁ, ଜାରି ହେଲା ଆଲର୍ଟ

ଭୁବନେଶ୍ୱର,୨୨/୦୫: ଓଡ଼ିଶାରେ ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି ଗ୍ରୀଷ୍ମ ଋତୁର ପ୍ରକୋପ । ଆକାଶରୁ ଯେମିତି ନିଆଁ ବର୍ଷୁଛି, ଆଉ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉପକୂଳରୁ ଉପାନ୍ତ, ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ତାପମାତ୍ରା ଓ ପାଣିପାଗ ସୂଚନା ରାଜ୍ୟର ଅଧିକାଂଶ ସହରରେ ପାରଦ ଏବେ ଉପରମୁହାଁ । ପ୍ରାୟ ୨୫ରୁ ଅଧିକ ସହରରେ ତାପମାତ୍ରା ୪୧ ଡିଗ୍ରି ଉପରେ ରହିଥିବା ବେଳେ ଅନେକ ସ୍ଥାନରେ ଏହା ୪୦ରୁ ୪୫ ଡିଗ୍ରି ଟପିଯାଇଛି । ବିଶେଷ କରି ସହରାଞ୍ଚଳଗୁଡ଼ିକରେ ‘ହିଟ୍ ଆଇଲ୍ୟାଣ୍ଡ’ ସ୍ଥିତି ସୃଷ୍ଟି ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରବଳ ଗ୍ରୀଷ୍ମ ଲହରିରୁ ନିସ୍ତାର ନାହିଁ । ବାୟୁମଣ୍ଡଳରେ ଗତିପଥ ବଦଳିବା ଯୋଗୁଁ ଉତ୍ତରପ୍ରଦେଶ ଆଡ଼ୁ ତାତି ଓ ଶୁଷ୍କ ପଶ୍ଚିମା ପବନ ଓଡ଼ିଶାକୁ ପ୍ରବେଶ କରୁଛି। ୟୁପିରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସହ ଦକ୍ଷିଣ ଓଡ଼ିଶା ବାୟୁମଣ୍ଡଳର ୧.୫ କିମି ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ନୟାଗଡ଼ ଭଳି ୪ଟି ଜିଲ୍ଲାକୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଏବଂ ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ସମେତ ଅନ୍ୟ ଜିଲ୍ଲାଗୁଡ଼ିକୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି । ଆସନ୍ତା ୨ ତାରିଖ ଯାଏଁ ସମସ୍ତଙ୍କୁ ସାବଧାନ ରହିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *