ନୂଆଦିଲ୍ଲୀ,୨୮/୦୫: କର୍ଣ୍ଣାଟକ ରାଜନୀତିରେ ଗତ କିଛି ଦିନ ଧରି ଚାଲିଥିବା ସସପେନ୍ସର ଅନ୍ତ ଘଟିଛି। କର୍ଣ୍ଣାଟକର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିବା ବରିଷ୍ଠ ନେତା ସିଦ୍ଧରମୈୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ପ୍ରଭାବଶାଳୀ ନେତା ଡି.କେ. ଶିବକୁମାର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି। ରାଜ୍ୟରେ ଜାତିଗତ ସମୀକରଣକୁ ସନ୍ତୁଳିତ ରଖିବା ପାଇଁ ଶିବକୁମାରଙ୍କ ସହ ଦୁଇରୁ ତିନି ଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି। ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧରମୈୟା କହିଛନ୍ତି, ମୁଁ ଆପଣମାନଙ୍କୁ ପୂର୍ବରୁ ଅନେକ ଥର କହିଛି ଯେ ଯେତେବେଳେ ହାଇକମାଣ୍ଡ ମତେ ଇସ୍ତଫା ଦେବାକୁ କହିବେ, ମୁଁ ପଦ ଛାଡ଼ିଦେବି। ଦୁଇ ଦିନ ତଳେ ହାଇକମାଣ୍ଡ ମତେ ଏହି ନିର୍ଦ୍ଦେଶ ଦେଇଥିଲେ, ତେଣୁ ମୁଁ ଆଜି ମୋର ଇସ୍ତଫା ପତ୍ର ସମ୍ପାଦନ କରିଛି। ତେବେ କୁହାଯାଇପାରେ ସିଦ୍ଧରମୈୟାଙ୍କ ଇସ୍ତଫା ସହ କର୍ଣ୍ଣାଟକ କଂଗ୍ରେସ ଇତିହାସର ଏକ ବଡ଼ ଅଧ୍ୟାୟର ଅନ୍ତ ଘଟିଛି।