ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର,୦୮/୦୪: ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସସ୍ମିତ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ନିକଟରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସେ ସଂସଦର ଏକ କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏବେ ଦଳର ଆଭିମୁଖ୍ୟ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। କିନ୍ତୁ ଏହି ପ୍ରସଙ୍ଗରେ କେହି ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି। ଉଲ୍ଲେଖନୀୟ ରାଜ୍ୟସଭାରେ ଏବେ ବିଜେଡିର ୬ ସାଂସଦ ରହିଛନ୍ତି। ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ ଓ ସଂତୃପ୍ତ ମିଶ୍ର। ୨୦୨୨ ମସିହାରୁ ସସ୍ମିତ ବିଜେଡିର ସଂସଦୀୟ ଦଳ ନେତା ରହିଛନ୍ତି।