ପୁଣି ଆସୁଛି ଲଘୁଚାପ, ଆଜିଠୁ ବଢ଼ିବ ରାଜ୍ୟରେ ବର୍ଷାର ପରିମାଣ

ଭୁବନେଶ୍ୱର,୦୯/୦୯: ପୁଣି ଆସୁଛି ଲଘୁଚାପ, ଆଜିଠୁ ବଢ଼ିବ ବର୍ଷାର ପରିମାଣ । ପ୍ରାୟ ସପ୍ତାହେ ଧରି ଗୁଳୁଗୁଳି ଓ ପ୍ରବଳ ଗରମ ପରେ ପୁଣି ବଦଳିପାରେ ପାଣିପାଗର ମିଜାଜ । ସକ୍ରିୟ ରହିଛି ମୌସୁମୀ ନିମ୍ନଚାପ ରେଖା । ସମୁଦ୍ରରୁ ଓଡ଼ିଶା ଆଡ଼କୁ ଆସୁଛି ପ୍ରଚୁର ଜଳୀୟବାଷ୍ପ ।ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଆଜି ନହେଲେ କାଲି ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ । ପରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଦେଇ ଛତିଶଗଡ଼ ଏବଂ ମଧ୍ୟ ଭାରତ ଆଡ଼କୁ ଯାଇପାରେ । ପ୍ରଥମେ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ, ପରେ ଲଘୁଚାପ ନିକଟତର ହେବା ସହ ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ବଢ଼ିପାରେ ବର୍ଷାର ପରିମାଣ । ଏହାପରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାକୁ ବି ପ୍ରଭାବିତ କରିପାରେ ।ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାବେଳେ, କେତେକ ସ୍ଥାନରେ ୨୪ ଘଣ୍ଟାରେ ୧୦୦ ମିଲିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । କେବଳ ଏତିକି ନୁହେଁ, ସେପ୍ଟେମ୍ବର ୧୭ରୁ ୨୦ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ବି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *