ଭୁବନେଶ୍ୱର,୦୯/୦୯: ଭୋଗରାଇରୁ ଧରାପଡ଼ିଥିବା ଓରାଙ୍ଗଓଟାନ୍ ଶାବକମାନେ ପ୍ରାୟ ବର୍ଷକର ବୋଲି ଜଣାପଡ଼ିଛି । ସେମାନଙ୍କୁ ଏବେ ନନ୍ଦନକାନନରେ ରଖାଯାଇଛି । ଏହି ବୟସରେ ସେମାନେ ନିଜେ ନିଜର ଜୀବନ ଚଳାଇବାକୁ ସମ୍ପୂର୍ଣ୍ଣ ସକ୍ଷମ ହୋଇନଥାନ୍ତି । ଓରାଙ୍ଗଓଟାନ୍ ଶାବକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଆଙ୍କ ଉପରେ ନିର୍ଭର କରିଥାନ୍ତି । ପ୍ରାୟ ୬ରୁ ୮ ବର୍ଷ ପର୍ଯ୍ୟନ୍ତ ମାଆ ସହିତ ରହିବା ସମୟରେ ଶାବକମାନେ ଜୀବନର ଅନେକ ଜରୁରୀ କୌଶଳ ଶିଖିଥାନ୍ତି । କେଉଁ ଫଳ ଖାଇବା ଉଚିତ, କେଉଁଠାରେ ଖାଦ୍ୟ ଖୋଜିବାକୁ ହେବ, କେଉଁ ଗଛରେ ରହିବା ସୁରକ୍ଷିତ ଏସବୁ ମାଆ ସେମାନଙ୍କୁ ଶିଖାଇଥାନ୍ତି । ତେଣୁ ଏତେ କମ୍ ବୟସରେ ମାଆଠାରୁ ଅଲଗା ହୋଇଯିବା ଶାବକଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ । ଆଉ ଏକ ବଡ଼ ପ୍ରଶ୍ନ ହେଉଛି ଓରାଙ୍ଗଓଟାନ୍ର ପ୍ରାକୃତିକ ବାସସ୍ଥାନ । ଓରାଙ୍ଗଓଟାନ୍ ମୁଖ୍ୟତଃ ଇଣ୍ଡୋନେସିଆର ବୋର୍ନିଓ ଓ ସୁମାତ୍ରା ଦ୍ୱୀପର ଉଷ୍ଣମଣ୍ଡଳୀୟ ବର୍ଷା ଜଙ୍ଗଲରେ ବାସ କରନ୍ତି । ଭାରତ ଓ ଏହି ଦ୍ୱୀପପୁଞ୍ଜ ମଧ୍ୟରେ ଓରାଙ୍ଗଓଟାନ୍ଙ୍କ ପାଇଁ କୌଣସି ଅବିଚ୍ଛିନ୍ନ ପ୍ରାକୃତିକ ଜଙ୍ଗଲ ଅଞ୍ଚଳ ନାହିଁ । ତେଣୁ ଭାରତର କୌଣସି ଜଙ୍ଗଲରେ ସ୍ୱାଭାବିକ ଭାବେ ଏମାନେ ପହଞ୍ଚିଥିବା ସମ୍ଭାବନାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଭୋଗରାଇରୁ ମିଳିଥିବା ଏହି ଶାବକମାନେ କେଉଁଠାରୁ ଆସିଲେ, କିଏ ସେମାନଙ୍କୁ ଏଠାକୁ ଆଣିଲା ଏବଂ ମାଆଠାରୁ କିପରି ଅଲଗା ହେଲେ ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।