ଭୁବନେଶ୍ୱର,୨୧/୦୩: ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ । ଆନ୍ଧ୍ର ଉପକୂଳ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଜ୍ରପାତ ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ସବହ ବର୍ଷା ପବନ ନେଇ ରାଜ୍ୟର ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ସେସବୁ ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ସହ ଘଣ୍ଟାପ୍ରତି ୩୦-୪୦ ଓ ଆଉ କିଛି ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ। ଆଜି ପାଇଁ ମୟୁରଭଞ୍ଜ, ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଏବଂ କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସପ୍ତାହେ ରାଜ୍ୟରେ ଏମିତି ପାଗ ଲାଗି ରହିବ । ଅନ୍ୟପଟେ ସାରା ଦେଶରେ ପାଗ ଖରାପ ହୋଇଛି। ମାର୍ଚ୍ଚ ମଧ୍ୟଭାଗରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ବିହାର ସମେତ ଅନେକ ରାଜ୍ୟରେ ଥଣ୍ଡା ଫେରି ଆସିଛି। କଶ୍ମୀର ଏବଂ ହିମାଚଳରେ ନିରନ୍ତର ତୁଷାରପାତ ଜାରି ରହିଛି। ଭାରତ ପାଣିପାଗ ବିଭାଗ ୧୯ଟି ରାଜ୍ୟରେ ବର୍ଷା, ଝଡ଼ବର୍ଷା, ବିଜୁଳି ଏବଂ କୁଆପଥର ବର୍ଷା ପାଇଁ ସତର୍କତା ଜାରି କରିଛି। ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତର ଅନେକ ଅଞ୍ଚଳରେ ପାଗ ପ୍ରଭାବିତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଆଜି ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ କୁଆପଥର ବର୍ଷାର ପୂର୍ବାନୁମାନ କରିଛି। ମଧ୍ୟ ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ମଧ୍ୟ କୁଆପଥର ବର୍ଷାର ପୂର୍ବାନୁମାନ କରିଛି ।