ଭୁବନେଶ୍ୱର,୩୦/୦୩: ପୁଣି ପୁରୀରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକଙ୍କ ଚାଲିଗଲା ଜୀବନ । ପୁରୀ ସମୁଦ୍ର କୂଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତଦେହକୁ ପୁରୀ ହସ୍ପିଟାଲକୁ ପଠାଯାଇଛି । ତେବେ ସୂଚନା ଅନୁଯାୟୀ ଆଜି ସକାଳେ ଦୁଇଜଣ ପର୍ଯ୍ୟଟକ ସେକ୍ଟର ୧୪ ଲାଇଟ ହାଉସ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ସାଙ୍ଗକୁ ବଡ଼ ଲହଡ଼ି ମାଡ଼ରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ସେଠାରେ ଥିବା ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡ଼ାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ ବଡ଼କଥା ହେଉଛି ପୁରୀ ସମୁଦ୍ରରେ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଥିବା ବେଳେ କାହିଁକି ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉନାହିଁ।