ନୂଆଦିଲ୍ଲୀ,୨୮/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଗତ ସରକାରଙ୍କୁ ଟାର୍ଗେଟ କରିବା ସହିତ ଭାରତ ଉପରେ ବିଶ୍ୱ ସଙ୍କଟର ପ୍ରଭାବକୁ ଦର୍ଶାଇବା ପାଇଁ ପ୍ରୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ,ଏହି ବିମାନବନ୍ଦର ପଶ୍ଚିମ ଉତ୍ତର ପ୍ରଦେଶରେ ସଂଯୋଗୀକରଣ ଏବଂ ଅର୍ଥନୈତିକ ସମ୍ଭାବନାକୁ ବୃଦ୍ଧି କରିବ। ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଯୋଗୁଁ ଆଗ୍ରା, ମଥୁରା, ଅଲିଗଡ଼, ଗାଜିଆବାଦ, ମିରଟ, ଏତାହ, ବୁଲନ୍ଦସର୍, ଫରିଦାବାଦ ଅଞ୍ଚଳ ଲାଭବାନ ହେବାକୁ ଯାଉଛି। କୃଷକ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ଓ ପଶ୍ଚିମ ଉତ୍ତର ପ୍ରଦେଶର ଯୁବ ବର୍ଗ ପାଇଁ ନୂଆ ନୂଆ ସୁଯୋଗ ଆଣିବାକୁ ଯାଉଛି। ବିମାନବନ୍ଦରରେ ପ୍ରତି ୨ ମିନିଟରେ ଗୋଟିଏ ବିମାନ ଉଡ଼ାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ବିକଶିତ ଉତ୍ତର ପ୍ରଦେଶର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଉତ୍ତର ପ୍ରଦେଶର ଲୋକଙ୍କୁ ଶୁଭେଚ୍ଛା ଓ କୃଷକଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ପୂର୍ବ ସରକାରମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେମାନେ ବର୍ଷ ବର୍ଷ ଧରି ଏହି ପ୍ରକଳ୍ପକୁ ଗଡ଼ାଇ ଚାଲିଥିଲେ ବୋଲି ମୋଦୀ କହିଛନ୍ତି।