ସାଉଦି ଆରବର ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୮/୦୨: ଇରାନ-ଇସ୍ରାଏଲ ଯୁଦ୍ଧର ୨୯ ଦିନରେ ପହଞ୍ଚିଛି। ଫେବ୍ରୁଆରି ୨୮ ତାରିଖରେ ଇସ୍ରାଏଲ ଏବଂ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ସହିତ ଏହା ଆରମ୍ଭ ହୋଇଥିଲା। ଦୁଇପକ୍ଷ ପରସ୍ପର ଉପ‌ରେ ଜୋରଦାର ଆକ୍ରମଣ ଜାରି ରଖିଛନ୍ତି। ଫଳରେ ସ୍ଥିତି ଧିରେ ଧିରେ ସଙ୍କଟଜନକ ହେବାରେ ଲାଗିଛି। ଉତ୍ତେଜନା ମଧ୍ୟରେ ପ୍ରତିଶୋଧ ନେଇ ଆରବର ଏକ ସାମରିକ ଘାଟି ଉପରେ ଇରାନ ଭୟଙ୍କର ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ୧୨ରୁ ଅଧିକ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପ୍ରିନ୍ସ ସୁଲତାନ ବାୟୁସେନା ଘାଟି ଉପରେ ହୋଇଥିବା ଏହି ଆକ୍ରମଣରେ ଆମେରିକୀୟ ଇନ୍ଧନ ଭର୍ତ୍ତି ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସାଟେଲାଇଟ୍ ଚିତ୍ରଗୁଡ଼ିକରୁ ଆକ୍ରମଣର ସ୍ପଷ୍ଟ ସୂଚନା ମିଳୁଛି। ସାଉଦି ଆରବ ଦାବି କରିଛି ଯେ, ଇରାନ ପକ୍ଷରୁ ରାଜଧାନୀ ରିୟାଦକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ରକୁ ଅଟକାଇ ନଷ୍ଟ କରିଦିଆଯାଇଛି। ଯାହା ଫଳରେ ବଡ଼ ଧରଣର କ୍ଷତି ଏଡାଇ ହୋଇଯାଇଛି। ତେବେ ଇରାନ ଆକ୍ରମଣ ଯୋଗୁ ସାମଗ୍ରିକ ଭାବରେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି ଏବଂ ଏହି ସଂଘର୍ଷ ଶୀଘ୍ର ଶେଷ ହେବାର ସମ୍ଭାବନା କମ୍ ଦେଖାଯାଉଛି।