ନୂଆଦିଲ୍ଲୀ,୦୨/୦୯: ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନ ପଛରେ ହିମାଳୟର ବଦଳୁଥିବା ଜଳବାୟୁ ଓ ଗ୍ଲେସିୟର ତରଳିବା ମୁଖ୍ୟ କାରଣ ଭାବେ ସାମ୍ନାକୁ ଆସିଛି। ଆଇସିଆଇଏମଓଡିର ରିପୋର୍ଟ ଅନୁସାରେ, ୨୦୦୦ ମସିହା ପରଠାରୁ ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ବରଫ ତରଳିବା ହାର ଦ୍ୱିଗୁଣିତ ହୋଇଛି ଏବଂ ୧୯୭୫ ପରଠାରୁ ଅନେକ ଗ୍ଲେସିୟରର ମୋଟେଇ ୨୭ ମିଟର ପର୍ଯ୍ୟନ୍ତ କମିଯାଇଛି। ନେପାଳର ରସୁୱା, ନୁୱାକୋଟ୍ ଓ ଧାଦିଂ ଜିଲ୍ଲାରେ ଆସିଥିବା ଏହି ବନ୍ୟା ଯୋଗୁଁ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବା ସହ ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଘଟଣା ଯୋଗୁଁ ନେପାଳର ପ୍ରାୟ ୧୦ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ପ୍ରଭାବିତ ହେବା ସହିତ ସୁଡ଼ଙ୍ଗ ଭିତରେ ଶହ ଶହ ଶ୍ରମିକ ଫସି ରହିଥିଲେ ଯାହା ପାର୍ବତ୍ୟ ଆଞ୍ଚଳିକ ଭିତ୍ତିଭୂମିର ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନେପାଳର ବିଦ୍ୟୁତ୍ ଉତ୍ପାଦନ ମୁଖ୍ୟତଃ ସଂକୀର୍ଣ୍ଣ ପାହାଡ଼ିଆ ନଦୀ ଉପରେ ନିର୍ମିତ ‘ରନ୍-ଅଫ୍-ଦ-ରିଭର’ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ନିର୍ଭରଶୀଳ । ଏହିପରି ସଂକୀର୍ଣ୍ଣ ପାହାଡ଼ିଆ ଉପତ୍ୟକାଗୁଡ଼ିକ ଏବେ ପ୍ରାକୃତିକ ବିପର୍ଯ୍ୟୟର ମୁଖ୍ୟ କେନ୍ଦ୍ର ପାଲଟିଛନ୍ତି। ହିମାଳୟରେ ପ୍ରାକୃତିକ ଦୁର୍ବିପାକ କେବଳ ଗୋଟିଏ ରୂପରେ ଆସେନାହିଁ; ଗ୍ଲେସିୟର ଖସିବା, ହିମହ୍ରଦ ଫାଟିବା,ପ୍ରବଳ ମୃତ୍ତିକା କ୍ଷୟ ଏବଂ ଭୂସ୍କଳନ ଏକାସାଙ୍ଗରେ ମିଶି ତାଣ୍ଡବ ସୃଷ୍ଟି କରନ୍ତି ।
ପୂର୍ବରୁ ୨୦୨୧ ମସିହାରେ ଉତ୍ତରାଖଣ୍ଡର ଚମୋଲିଠାରେ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ଋଷିଗଙ୍ଗା ଓ ତପୋବନ-ବିଷ୍ଣୁଗାଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା ଏବଂ ୨୦୨୩ରେ ସିକିମର ଲୋନାକ୍ ହ୍ରଦ ଫାଟିବା ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା । ହିମାଳୟର ପାର୍ବତ୍ୟ ନଦୀ ଶୃଙ୍ଖଳା ପରସ୍ପର ସହ ଜଡ଼ିତ ହୋଇଥିବାରୁ ନେପାଳରୁ ବୋହି ଆସୁଥିବା ନଦୀଗୁଡ଼ିକର ବିପର୍ଯ୍ୟୟ ଭାରତର ନିମ୍ନ ଭାଗରେ ଥିବା ଅଞ୍ଚଳଗୁଡ଼ିକ ପାଇଁ ମଧ୍ୟ ଜଳପ୍ଲାବନର ବଡ଼ ସଙ୍କଟ ସୃଷ୍ଟି କରୁଛି।