ନୂଆଦିଲ୍ଲୀ,୦୭/୦୪: ୫୩ ବର୍ଷ ପରେ ନାସାର ମାନବ ମିସନ ଆର୍ଟେମିସ୍-୨ ଚନ୍ଦ୍ରରେ ପହଞ୍ଚି ଇତିହାସ ରଚିଛି । ନାସାର ଆର୍ଟେମିସ୍-୨ ମିସନ୍ରେ ଥିବା ଚାରି ଜଣ ମହାକାଶଚାରୀ ଚନ୍ଦ୍ରର ଗୁରୁତ୍ୱାକର୍ଷଣର ପ୍ରଭାବ କ୍ଷେତ୍ରରେ ପ୍ରବେଶ କରିଥିଲେ । ନାସାର ଆର୍ଟେମିସ୍ କାର୍ଯ୍ୟକ୍ରମର ପ୍ରଥମ କ୍ରୁ ପରୀକ୍ଷଣ ଉଡ଼ାଣରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ମହାକାଶଚାରୀମାନେ ଚନ୍ଦ୍ରର ଅନ୍ଧକାରମୟ ଦୂର ପାର୍ଶ୍ୱରୁ ପ୍ରାୟ ୪ହଜାର ମାଇଲ୍ ଉପରେ ଉଡ଼ିବେ। ସେଠାରୁ ପୃଥିବୀ ସେମାନଙ୍କୁ ଏକ ବାସ୍କେଟବଲ ଆକାରର ଦେଖାଯିବ । ଚନ୍ଦ୍ର ଚାରି ପାଖରେ ବୁଲିବା ସମୟରେ ଚାରି ମହାକାଶଚାରୀ ପ୍ରାୟ ୪୦ ମିନିଟ୍ ଧରି ପୃଥିବୀ ସହିତ ସମ୍ପର୍କ ହରାଇବେ । ଏପ୍ରିଲ୍ ୬ ତାରିଖରେ ନାସାର ଫ୍ଲୋରିଡାର କେନେଡି ସ୍ପେସ୍ ଷ୍ଟେସନରୁ ଓରିଅନ୍ କ୍ୟାପ୍ସୁଲ୍ରେ ବସି ନାସାର ମହାକାଶଚାରୀ ରିଡ୍ ୱାଇଜ୍ମ୍ୟାନ୍, ଭିକ୍ଟର ଗ୍ଲୋଭର ଓ କ୍ରିଷ୍ଟିନା କୋଚ୍, କାନାଡା ମହାକାଶଚାରୀ ଜେରେମି ହାନସେନ୍ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ । ଚାରି ମହାକାଶଚାରୀ ପୃଥିବୀ ପୃଷ୍ଠରୁ ୪,୦୬,୭୭୩ କିଲୋମିଟର ଦୂରରେ ପହଞ୍ଚି ସବୁଠାରୁ ଦୂର ମାନବ ମହାକାଶ ଯାତ୍ରାର ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ।