ଭୁବନେଶ୍ୱର,୧୯/୦୫: ଆସନ୍ତାକାଲି ତିନି ଦଫା ଦାବି ନେଇ Aiocd ରାଜ୍ୟର ସବୁ ଘରୋଇ ମେଡିସିନ ଷ୍ଟୋର ବନ୍ଦ ଡାକରା ଦେଇଛି । ଯଦି ଆପଣ କୌଣସି ଗୁରୁତର ରୋଗରେ ପୀଡିତ ଅଛନ୍ତି । ଜ୍ୱର, ମଧୁମେୟ, ରକ୍ତଚାପ, ଭଳି ରୋଗରେ ଚିକିତ୍ସିତ ହେଉଛନ୍ତି କିମ୍ବା ଜରୁରୀ ଔଷଧର ଆବଶ୍ୟକତା ରହିଛି । ତାହା ହେଲେ ସାବଧାନ ଓ ସତର୍କ ହୋଇଯାଆନ୍ତୁ । କାରଣ ଆସନ୍ତାକାଲି କୌଣସି ଜରୁରୀ ମେଡିସିନ ମିଳିନପାରେ । ମେ’ ୨୦ରେ ଦେଶର ୧୨ ଲକ୍ଷ ଔଷଧ ଦୋକାନ ବନ୍ଦ ରହିବା ସହିତ ଓଡ଼ିଶାର ସମସ୍ତ ଘରୋଇ ମେଡିସିନ୍ ଷ୍ଟୋର ବନ୍ଦ ରହିବ । ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ କରି ୩ ଦଫା ଦାବିରେ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟ ପକ୍ଷରୁ ଦେଶବ୍ୟାପୀ ମେଡିକାଲ୍ ଷ୍ଟୋର ବନ୍ଦ ଡାକରା ଦିଆଯାଇଛି । ରିହାତି ଦ୍ୱାରା କର୍ପୋରେଟ୍ ସଂସ୍ଥା ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ସଂଘ ଦାବି କରିଛି । ଜରୁରୀ ଔଷଧ ଯୋଗାଣ ଯେମିତି ପ୍ରଭାବିତ ନହୁଏ, ସେଥିପାଇଁ ପ୍ରସ୍ତୁତ ରହିବାକୁ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଅଭାବ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ବେଳେ ହସ୍ପିଟାଲ୍ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।