ଭୁବନେଶ୍ୱର,୧୮/୦୪: କେନ୍ଦୁଝରରେ ବ୍ୟାଙ୍କ ଅଧିକାରୀଙ୍କୁ ମୃତ୍ୟୁର ପ୍ରମାଣ ଦେବାକୁ ଯାଇ ଭଉଣୀର କଙ୍କାଳ ମଶାଣିରୁ ଖୋଳି ଆଣିଲା ଭାଇ। ଏବେ ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ମନେପକାଇଦେଇଛି ୧୦ ବର୍ଷ ତଳର ଘଟଣା। ୨୦୧୬ରେ ଦାନ ମାଝୀ ଆଉ ୨୦୨୬ରେ ଜିତୁ ମୁଣ୍ଡା। ସେବେ କନ୍ଧମାଳ ଏବେ କେନ୍ଦୁଝର। ୧୦ ବର୍ଷ ପରେ ବି ସୁଧୁରିନି ଓଡ଼ିଶାର ସ୍ଥିତି। ସେବେ ଦାନ ମାଝୀଙ୍କ କାନ୍ଧରେ ଥିଲା ସ୍ତ୍ରୀଙ୍କ ମୃତଦେହ। ଆଉ ଏବେ ଭାଇ ଜିତୁ ମୁଣ୍ଡାଙ୍କ କାନ୍ଧରେ ଭଉଣୀର କଙ୍କାଳ। ପ୍ରଶାସନ ଯେ ଗରିବଙ୍କ ପାଇଁ କେତେ ଅପହଞ୍ଚ ଏ ଘଟଣା ତାର ନଗ୍ନ ଉଦାହରଣ।
ଗତକାଲି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପସି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଭଉଣୀର କଙ୍କାଳ ଧରି ଭାଇ ପହଞ୍ଚିଥିଲେ। ଏ ଘଟଣାରେ ଆଜି ପ୍ରଶାସନ ପକ୍ଷରୁ ଭାଇ ଜିତୁ ମୁଣ୍ଡାଙ୍କୁ ଭଉଣୀ ଆକାଉଣ୍ଟରେ ଥିବା ଟଙ୍କା ପ୍ରଦାନ କରାଯାଇଛି। ତେବେ ଏ ଘଟଣାରେ ଭାଇ ଜିତୁ ମୁଣ୍ଡାଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି। ତାଙ୍କ ପ୍ରତିକ୍ରିୟାରେ ସେ ବଖାଣିଛନ୍ତି କାହିଁକି ଓ କେଉଁ ପରିସ୍ଥିତିରେ ବ୍ୟାଙ୍କକୁ ନେଇଥିଲେ ଭଉଣୀର କଙ୍କାଳ। ତାଙ୍କ କହିବାନୁସାରେ, ସେ ମୃତ ଭଉଣୀ ନାଁରେ ବ୍ୟାଙ୍କରେ ଥିବା ୧୯ ହଜାର ଟଙ୍କା ଉଠାଇବାକୁ ଯାଇଥିଲେ। ହେଲେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଭଉଣୀ ମରିଛି ବୋଲି ପ୍ରମାଣ ମାଗିଥିଲେ। ପ୍ରମାଣ ନାହିଁ କ’ଣ ଶବ ଆଣିବି ବୋଲି ସେ ମ୍ୟାନେଜରଙ୍କୁ କହିଥିଲେ। ମ୍ୟାନେଜର ତାଙ୍କୁ ହଁ କହିବାରୁ ସେ ଶବ ଧରି ଆସିଥିବା କହିଛନ୍ତି ଜିତୁ। ପ୍ରମାଣ ଭାବେ ସେ ମଶାଣିରୁ ଶବ ଖୋଳି ଧରି ଆସିଥିଲେ ବୋଲି କହିଛନ୍ତି।