ନୂଆଦିଲ୍ଲୀ,୧/୦୬: ଆଇପିଏଲ୍ରେ ଏଥର ପୁଣିଥରେ ଚାମ୍ପିଅନ୍ ହୋଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅହମ୍ମଦାବାଦରେ ଅନୁଷ୍ଠିତ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ହରାଇ ଲଗାତର ଦ୍ବିତୀୟଥର ପାଇଁ ଆରସିବି ଟ୍ରଫି ଜିତିଛି । ଆରସିବିକୁ ଟାଇଟଲ୍ ଭେଟି ଦେଇଛନ୍ତି ବିରାଟ କୋହଲି । ଓପ୍ନିଙ୍ଗରେ ବ୍ୟାଟିଂ କରିବାକୁ ଆସି ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍ ରହିଥିଲେ । ୪୨ଟି ବଲ୍ରୁ ଧୂଆଁଧାର ୭୫ ରନ୍ କରି ଫାଇନାଲରେ ହୋଇଛନ୍ତି ପ୍ଲେୟାର ଅଫ୍ ଦି ମ୍ୟାଚ । ଭେଙ୍କଟେଶ ଆୟାର ୩୨ ଓ ଟିମ୍ ଡେଭିଡ୍ ୨୪ ରନ୍ କରିଥିଲେ । ଫଳରେ ଗୁଜରାଟ ଟାଇଟନ୍ସ ଦେଇଥିବା ୧୫୬ ରନ୍ ବିଜୟଲକ୍ଷ୍ୟକୁ ଆରସିବି ଆହୁରି ୨ ଓଭର ବାକି ଥାଇ, ୫ ୱିକେଟ୍ ହରାଇ ଟ୍ରଫି ହାସଲ କରି ନେଇଥିଲା । ୨୦୨୫ ଆଇପିଏଲରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚାମ୍ପିଅନ୍ ହୋଇଥିଲା । କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଆଇପିଏଲ୍ ଟ୍ରଫି ଜିତିବା ପରେ ଆର୍ସିବିର ଲକ୍ଷ ଲକ୍ଷ ପ୍ରଶଂସକ ଖୁସି ମନାଇଛନ୍ତି । ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି ।