ନୂଆଦିଲ୍ଲୀ,୧୭/୦୪: ଇଣ୍ଡୋନେସିଆର ବୋର୍ଣ୍ଣିଓ ଦ୍ୱୀପରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ବିମାନରେ ଥିବା ସମସ୍ତ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି । ”ପିଟି ମାଥ୍ୟୁ ଏୟାର ନୁସାନ୍ତାରା” ଦ୍ୱାରା ପରିଚାଳିତ ଏୟାରବସ୍ ‘ଏଚ୍୧୩୦’ ହେଲିକପ୍ଟରଟି ଗତକାଲି ପଶ୍ଚିମ କାଲିମଣ୍ଟାନର ମେଲାୱି ଜିଲ୍ଲାରୁ ଏକ ପାମ୍ ତେଲ ବଗିଚା ଅଭିମୁଖେ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ନିଖୋଜ ହୋଇଯାଇଥିଲା । ସେକାଡାଉ ଜିଲ୍ଲାର ଘଞ୍ଚ ଜଙ୍ଗଲ ମଧ୍ୟରୁ ହେଲିକପ୍ଟରର ଭଗ୍ନାବଶେଷ ସହ ୨ ଜଣ କ୍ରୁ ସଦସ୍ୟ ଏବଂ ଜଣେ ମାଲେସୀୟ ନାଗରିକଙ୍କ ସମେତ ୬ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ିନଥିଲେ ହେଁ, ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପାଗ କାରଣରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।