ଭୁବନେଶ୍ୱର,୦୫/୧୧: କୋଟିଆରେ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ । ଆନ୍ଧ୍ରପ୍ରଦେଶରେ ଭୋଟ୍ ଦେଇ ନିଜ ଗାଁକୁ ଫେରୁଛନ୍ତି କୋଟିଆ ଅଞ୍ଚଳର ଅନେକ ଭୋଟର । ଆନ୍ଧ୍ର ସୀମା ସାରିକାରେ ମତଦାନ କରି ଫେରୁଥିବା ଲୋକଙ୍କୁ ନେଇ କୋଟିଆରେ ଦେଖାଦେଇଛି ତୀବ୍ର ଉତ୍ତେଜନା । ଅନେକ ଭୋଟର ରାତିରୁ ହିଁ ଆନ୍ଧ୍ରକୁ ଯାଇ ମତଦାନ କରିଥିବା ବେଳେ ଆଉ କିଛି ଲୋକ ଏବେ ମଧ୍ୟ ସେଠାକୁ ଯାଇ ଭୋଟ୍ ଦେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଅନ୍ୟପଟେ ଆନ୍ଧ୍ରରେ ଭୋଟ୍ ଦେବାକୁ ଯାଉଥିବା ଲୋକଙ୍କୁ ଅଟକାଇବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ଉଠିଛି । ଆନ୍ଧ୍ରରେ ଭୋଟ୍ ଦେଇ ଫେରୁଥିବା ଭୋଟରଙ୍କୁ ଘୋର ବିରୋଧ କରୁଛନ୍ତି ସ୍ଥାନୀୟ ନେତୃତ୍ୱ । ଓଡ଼ିଶାର ସୁବିଧା ସୁଯୋଗ ଉପଭୋଗ କରିବା ସହ ଆନ୍ଧ୍ରରେ ଭୋଟ୍ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନେତା ଓ କର୍ମୀ । ଏପରିକି, “ଓଡ଼ିଶାରେ ଖାଇବ, ଆନ୍ଧ୍ରରେ ଭୋଟ୍ ଦେବ” ବୋଲି କହି ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ଏକାଠି ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ । ଫଳରେ କୋଟିଆ ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ିବା ସହ ସୀମାରେ ଉତ୍ତେଜନା ଜାରି ରହିଛି ।