ଭାରତର ହାରାହାରି ତାପମାତ୍ରା ଗତ ଶତାବ୍ଦୀରେ ବଢ଼ିଛି ୦.୭ ପ୍ରତିଶତ

ନୂଆଦିଲ୍ଲୀ,୨୫/୦୫: ଭାରତର ହାରାହାରି ତାପମାତ୍ରା ଗତ ଶତାବ୍ଦୀରେ ୦.୭ ପ୍ରତିଶତ ବଢ଼ିଛି । ତାପମାତ୍ରାରେ ଏହି ବୃଦ୍ଧି ନଗଣ୍ୟ ମନେ ହୋଇଥାଇପାରେ। କିନ୍ତୁ ଆଗାମୀ ଦିନରେ ଏହା ଜୀବନ ଓ ଜୀବିକା ଉପରେ ଅତ୍ୟନ୍ତ ଗମ୍ଭୀର ପ୍ରଭାବ ପକାଇବାକୁ ଯାଉଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଭାରତରେ ହିଟ୍‌ୱେଭ ଚଳିତ ଶତାବ୍ଦୀ ‌ଶେଷବେଳକୁ ୩୦୦ରୁ ୪୦୦ ପ୍ରତିଶତ ବଢ଼ିଯାଇପାରେ। ଅନ୍ୟ ଏକ ଚିନ୍ତାର ବିଷୟ ହେଲା, ଗରମ ଦିନ ତୁଳନାରେ ଗରମ ରାତି ସଂଖ୍ୟା ଅଧିକ ବଢ଼ିଯିବା ଆଶଙ୍କା କରାଯାଉଛି। ପ୍ରତିକୂଳ ସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି। କାରଣ ତାପମାତ୍ରା ବୃଦ୍ଧି ଦ୍ବାରା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ; ଯେପରିକି ଚର୍ମ ଫଳିଯିବା, ମାଂସପେଶୀରେ ଯନ୍ତ୍ରଣା ଓ କ୍ଳାନ୍ତି ଅନୁଭବ କରିବା। ତାପମାତ୍ରା ବୃଦ୍ଧି ପାଇଁ ଅର୍ଥନୀତିକୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ୨୦୨୪ ମସିହାରେ ଲାନ୍‌ସେଟ୍‌ ପତ୍ରିକାର ଏକ ତଥ୍ୟ ଅନୁଯାୟୀ, ୧୯୯୦ରୁ ୧୯୯୯ ମଧ୍ୟରେ ତାତି ପାଇଁ ବାର୍ଷିକ ଯେତିକି ଶ୍ରମ ଘଣ୍ଟା ହରାଇବାକୁ ପଡ଼ିଥିଲା ତାହା ଏବେ ୧୨୪ ପ୍ରତିଶତ ବଢ଼ିଯାଇଛି। ଯେଉଁ ଅର୍ଥନୈତିକ କ୍ଷତି ହୋଇଛି ସେଥିରେ କୃଷିର ଭାଗ ପ୍ରାୟ ୬୬ ପ୍ରତିଶତ ରହିଛି। ହିଟ୍‌ୱେଭ୍‌ ବା ଗ୍ରୀଷ୍ମଲହର ସମୟରେ ଶ୍ରମିକଙ୍କ କାର୍ଯ୍ୟଦକ୍ଷତା କମୁଥିବାରୁ ବାର୍ଷିକ ପ୍ରାୟ ୧୯୪ ବିଲିଅନ ଡଲାର ଆୟ ହ୍ରାସ ପାଉଛି।

Leave a Reply

Your email address will not be published. Required fields are marked *