ନୂଆଦିଲ୍ଲୀ,୨୬/୦୪: ଆମେରିକାର ୱାସିଂଟନ୍ ଡିସିର ହିଲଟନ୍ ହୋଟେଲରେ ଗୁଳିକାଣ୍ଡ ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ସୁରକ୍ଷିତ ଅଛନ୍ତି। ସୁରକ୍ଷା କର୍ମୀମାନେ ଆକ୍ରମଣକାରୀଙ୍କୁ ହେପାଜତକୁ ନେଇଛନ୍ତି। ତଥାପି, ଏହି ଆକ୍ରମଣ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।
ପାକିସ୍ତାନରରେ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ବିତୀୟ ଶାନ୍ତି ଆଲୋଚନା ପ୍ରୟାସ ବିଫଳ ହୋଇଥିଲା। ଆଲୋଚନା ବାତିଲ ହେବାର ମାତ୍ର ୧୦ ଘଣ୍ଟା ପରେ ଏହି ଘଟଣା ଘଟିଛି।ହୋଟେଲର ଘଟଣା ପରେ, ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଥିରେ ସେ ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ। ଯେତେବେଳେ ସାମ୍ବାଦିକମାନେ ଟ୍ରମ୍ପଙ୍କୁ ପଚାରିଲେ ଯେ ଆକ୍ରମଣକାରୀଙ୍କର ଇରାନ ସହିତ କୌଣସି ସମ୍ପର୍କ ଅଛି କି ପ୍ରଶ୍ନରେ ଟ୍ରମ୍ପ ଉତ୍ତର ଦେଇଥିଲେ ଯେ ସେ ଏପରି ଭାବୁନାହାନ୍ତି, କିନ୍ତୁ ନିଶ୍ଚିତ ଭାବରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ଏପରି ହୋଇଥିବା ମୁଁ ଭାବୁନାହିଁ, କିନ୍ତୁ ପରେ ଏନେଇ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ହ୍ୱାଇଟ୍ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟଣାରେ ଭାରତର ପ୍ରଥମ ପ୍ରତିକ୍ରିୟା ଆସିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତ ହୋଇଛନ୍ତି। ସେ ସେମାନଙ୍କ ନିରନ୍ତର ସୁରକ୍ଷା ଏବଂ ମଙ୍ଗଳ ପାଇଁ ଶୁଭକାମନା ପ୍ରକାଶ କରିଛନ୍ତି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏହି ଘଟଣାକୁ ସ୍ପଷ୍ଟ ଭାବରେ ନିନ୍ଦା କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି।