ନୂଆଦିଲ୍ଲୀ,୨୧/୦୫: ସରକାରଙ୍କ ତରଫରୁ କକ୍ରୋଚ ଜନତା ପାର୍ଟି ବା ସିଜେପିର “ଏକ୍ସ’ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି । ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏହି ସଂଗଠନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏନେଇ ସଂଗଠନର ମୁଖ୍ୟ ଅଭିଜିତ୍ ଦିପକେ କହିଛନ୍ତି, ପ୍ରଥମେ ଏହି ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ହ୍ୟାକ୍ କରିବାରେ ବିଫଳ ହେବା ପରେ ଏହାକୁ ବନ୍ଦ କରିଦିଆଯାଇଛି ବୋଲି ଦିପକେ କହିଛନ୍ତି । କକ୍ରୋଚ ଜନତା ପାର୍ଟି ଏକ୍ସ ଆକାଉଣ୍ଟରେ ୧.୬ ଲକ୍ଷରୁ ଅଧିକ ଫଲୋର୍ସ ରହିଛନ୍ତି । ସେପଟେ ଇନଷ୍ଟାଗ୍ରାମରେ ଏହି ସଂଗଠନର ଫଲୋର୍ସ ୧୩ ମିଲିୟନ ଅର୍ଥାତ ୧ କୋଟି ୩୦ ଲକ୍ଷ ପାର କରିଛି । ଅନ୍ୟପଟେ ଏହି ଏକ୍ସ ଆକାଉଣ୍ଟ ଏବେ ଖୋଲିଲେ ଦେଖିବାକୁ ମିଳିଛି କି, ଏବେ ଏହି ଆକାଉଣ୍ଟ ୱିଥ୍ ହୋଲ୍ଡରେ ରହିଛି । କହିରଖୁ କି ସିଜେପି ନାମରେ ଏହି ଅନଲାଇନ୍ କ୍ୟାମ୍ପେନ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିଲା । ମୁଖ୍ୟତଃ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଦେଶର କିଛି ସ୍ୱତନ୍ତ୍ର ବେରୋଜଗାରୀ ଯୁବବର୍ଗଙ୍କ କାର୍ଯ୍ୟକଳାପକୁ ନେଇ କକ୍ରୋଚ ବା ଅସରପା ଶବ୍ଦର ବ୍ୟବହାର କରିଥିଲେ । ଏହାକୁ ବିରୋଧ କରି ଦିପକେ ଲେଖିଥିଲେ କି, ଦେଶର ସବୁ କକ୍ରୋଚ ଏକାଠି ହୋଇପାରିଲେ କିଭଳି ହେବ । ଏହାପରେ କକ୍ରୋଚ ଜନତା ପାର୍ଟି ନାମରେ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ ହୋଇଥିଲା ।