ନୂଆଦିଲ୍ଲୀ,୧୩/୦୯: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (UCC) ଲାଗୁ ହେବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆରମ୍ଭ ହେବାକୁ ଥିବା ୩୦ ଦିନିଆ ‘ସେବା ସଂକଳ୍ପ ଅଭିଯାନ’ ର ଯୋଜନା ବିଷୟରେ ସୂଚନା ଦେବା ବେଳେ ଗୃହମନ୍ତ୍ରୀ ଏହି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ।
ମୁମ୍ବାଇଠାରେ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧନ କରି ଶାହ କହିଛନ୍ତି ଯେ, କେତେକ ରାଜ୍ୟରେ ୟୁସିସି ଲାଗୁ ହୋଇସାରିଛି । ୨୦୨୯ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ବାଧୀନ ଏନ୍ଡିଏ ଶାସିତ ୨୧ଟି ଯାକ ରାଜ୍ୟରେ ୟୁସିସି କାର୍ଯ୍ୟକାରୀ ହେବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି । ବର୍ତ୍ତମାନ ୧୯ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏନ୍ଡିଏ କ୍ଷମତାରେ ରହିଛି। ଉତ୍ତରାଖଣ୍ଡ, ଗୁଜରାଟ ଓ ଆସାମରେ ୟୁସିସି ଲାଗୁ ହୋଇସାରିଥିବା ବେଳେ ମଧ୍ୟପ୍ରଦେଶରେ ୟୁସିସିର ଖସଡ଼ା ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।
ଏହା ସହିତ ସେ ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଶାସନର ୨୫ ବର୍ଷ ପୂରଣ ଅବସରରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ପରିଚାଳନା କରାଯିବ ।