ଓଡ଼ିଶାରେ କାଳ ବୈଶାଖୀ ପ୍ରଭାବ, ଏହି ସବୁ ଜିଲ୍ଲାକୁ ଜାରି ହେଲା ୱାର୍ଣ୍ଣିଂ

ଭୁବନେଶ୍ୱର, ୨୩/୦୩:  ମାର୍ଚ୍ଚ ଶେଷ ସପ୍ତାହରେ ଓଡ଼ିଶାରେ କାଳ ବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବ । ଏଥିସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧାରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆଜି ବାଲେଶ୍ବର , ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବଜ ବହିବା ସହ ବଜ୍ରପାତ ହୋଇପାରେ । ୨୬ ତାରିଖରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର, ୨୭ ତାରିଖରେ ଭଦ୍ରକ, ବାଳେଶ୍ବର, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଝଡ଼ିବର୍ଷା ହୋଇପାରେ । ସେହିପରି ୨୮ ତାରିଖରେ କୋରାପୁଟ, ରାୟଗଡ଼ା, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇପାରେ ।