ଭୁବନେଶ୍ୱର,୧୪/୦୯: ବାଲେଶ୍ୱରରୁ ଉଦ୍ଧାର ୫ ଓରାଙ୍ଗଉଟାନଙ୍କ ଯତ୍ନ ପାଇଁ ଗଠିତ ହେଲା ବୈଷୟିକ କମିଟି । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ବୈଷୟିକ କମିଟି ଗଠନ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଓ ଉଦ୍ଧାର ପରବର୍ତ୍ତୀ ଯତ୍ନ ସମ୍ପର୍କିତ ବିଭିନ୍ନ ବୈଷୟିକ ପରାମର୍ଶ ଦେବା ସହିତ ଓରାଙ୍ଗଉଟାନଙ୍କୁ ଉପଯୁକ୍ତ ଭାବେ ଯତ୍ନ ନେବା ଉଦ୍ଦେଶ୍ୟରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିର କାର୍ଯ୍ୟକାଳ ୬ ମାସ ରହିବ । ଆବଶ୍ୟକତା ଅନୁଯାୟୀ ଏହାର କାର୍ଯ୍ୟକାଳ ବଢ଼ାଯାଇପାରେ । ଏହି କମିଟିରେ ୫ ଜଣ ସଦସ୍ୟ ଅଛନ୍ତି । ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଡେରାଡୁନର ନିର୍ଦ୍ଦେଶକ ମଧ୍ୟ ସଦସ୍ୟ ଅଛନ୍ତି । ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲଥ, ଓୟୁଏଟି ଭୁବନେଶ୍ୱରର ପ୍ରୋଜେକ୍ଟ କୋ-ଅର୍ଡିନେଟର ମଧ୍ୟ ସଦସ୍ୟ ଅଛନ୍ତି । ଏଥିସହ ଭୁବନେଶ୍ୱର ନନ୍ଦନକାନନର ନିର୍ଦ୍ଦେଶକ ମଧ୍ୟ କମିଟିରେ ସଦସ୍ୟ ରହିଛନ୍ତି । କମିଟିର ଆବଶ୍ୟକତା ଅନୁଯାୟୀ ଦେଶ ଓ ବିଦେଶର ବ୍ୟକ୍ତି ତଥା ସଂଗଠନର ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରିବେ ।