ନୂଆଁଖାଇ ପାଇଁ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା, ମା ସମଲେଶ୍ୱରୀଙ୍କ ପାଖେ ଲାଗି ହେବ ନବାନ୍ନ

ଭୁବନେଶ୍ୱର,୧୪/୦୯: କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଯିଏ ଯେଉଁଠି ବି ଥାଆନ୍ତୁ ନୂଆଁଖାଇ ପାଇଁ ସମସ୍ତେ ଦୂର ଦୂରାନ୍ତରେ ଥିଲେ ମଧ୍ୟ ଘରମୁହାଁ ହୋଇ ପହଞ୍ଚି ଗଲେଣି । ନୂଆଁଖାଇ ଏକ ଭାବ ଆଦାନ ପ୍ରଦାନର ପର୍ବ ଯିଏ ଯେତେ ବି ଯାହା ସହିତ ରାଗ ରୁଷା ଥିଲେ ବି ଏହି ଦିନ ସମସ୍ତେ ଜୁହାର ଭେଟ ହୋଇ ଗଲେ ସବୁ ରାଗ ରୁଷା ଭୁଲି ଯାଇ ଏକାକାର ହୋଇ ଯାଆନ୍ତି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର ଡାହି ମାଲ ଓ ଜଳିଆ ଗ୍ରାମବାସୀ ଆଜକୁ ଆଠ ବର୍ଷ ହେବ ହଜାରେ ପରିବାରର ପାଞ୍ଚହଜାର ସଦସ୍ୟ ଏକାଠି ହୋଇ ନୂଆଁଖାଇ ବେଶ୍ ଧୁମ ଧାମରେ ପାଳନ କରି ଥାଆନ୍ତି । ଦୁଇ ଗାଁର ଗୌନ୍ତିଆ ନିଜ ଗ୍ରାମର ଗ୍ରାମ ଦେବୀଙ୍କୁ ବାଜା ଗଜା ଧରି ପୂଜାପାଠ କରି ଗ୍ରାମ ଦେବୀଙ୍କୁ ନିମନ୍ତ୍ରଣ କରି ସ୍ୱୀକୃତି ମାଗି ଗ୍ରାମର ଝାଙ୍କର ଓ ଗୌନ୍ତିଆ ଦୁଇ ଗ୍ରାମରେ ଘର ଘର ବୁଲି ସାମୂହିକ ନୂଆଁ ଖାଇବାକୁ ନିମନ୍ତ୍ରଣ ଦିଅନ୍ତି । ଗ୍ରାମର ଝାଙ୍କର ଓ ଗୌନ୍ତିଆଙ୍କ କଥା ରଖି ସମସ୍ତେ ଏକାକାର ହୋଇ ନୂଆଁଖାଇ ଦିନ ଏକାଠି ବସି ସମସ୍ତେ ସାମୂହିକ ନୂଆଁଖାଇରେ ସାମିଲ ହୋଇ ନୂଆଁ ଖାଆନ୍ତି । ଏଥିପାଇଁ ମହିଳାମାନଙ୍କ ମଧ୍ୟ ଭୂମିକା ବେଶ୍ ଥାଏ । ଏମିତି ଏକ ନିଆରା ନୂଆଁଖାଇ ପାଇଁ ଜଲିଆ ଓ ଡାହିମାଲ ଗ୍ରାମବାସୀ ବେଶ୍ ତପ୍ତରତା ସହିତ ସମସ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ହୋଇ ଥିବା ବେଳେ ଆସନ୍ତାକାଲି ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଖାଇବେ ।

Leave a Reply

Your email address will not be published. Required fields are marked *