ଆଜି ବି ସେ ସନ୍ଧ୍ୟା ମନେ ପଡିଲେ ଡର ଲାଗୁଛି, ମନରୁ ଲିଭୁନି ବାହାନଗା ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର,୦୨/୦୬: ଆଜି ବି ସେ ସନ୍ଧ୍ୟା ମନେ ପଡିଲେ ଡର ଲାଗୁଛି, ଲୋମ ତାଙ୍କରି ଉଠୁଛି । ବାହାନଗା ଟ୍ରେନ ଦୁର୍ଘଟଣାକୁ ବିତିଲାଣି ତିନି ବର୍ଷ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ପାଖରେ ଘଟିଥିବା ସେହି ଭୟଙ୍କର ରେଳ ଦୁର୍ଘଟଣା କେବଳ ଏକ ଦୁର୍ଘଟଣା ନଥିଲା, ବରଂ ଏହା ଥିଲା ଶତାବ୍ଦୀର ସବୁଠାରୁ ବଡ଼ ମାନବୀୟ ବିଭୀଷିକା । ଆଜି ସେହି ଘଟଣାକୁ ତିନି ବର୍ଷ ବିତିବାକୁ ଯାଉଥିଲେ ମଧ୍ୟ, ଏବେ ବି ବାହାନଗାର ଆକାଶରେ ସେହି ଚିତ୍କାର ଆଉ କାନ୍ଦବୋବାଳିର ପ୍ରତିଧ୍ୱନି ଶୁଭିଲା ପରି ମନେହୁଏ । ୨୦୨୩ ଜୁନ୍ ୨, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବାଜିଥିଲା । କିଏ ନିଜ ପରିବାର ପାଖକୁ ଫେରୁଥିଲା ତ କିଏ ନୂଆ ସ୍ୱପ୍ନ ନେଇ କର୍ମକ୍ଷେତ୍ରକୁ ଯାଉଥିଲା । ହଠାତ୍ ଏକ ବିକଟାଳ ଶବ୍ଦରେ ଥରିଉଠିଲା ପୂରା ଅଞ୍ଚଳ । କରମଣ୍ଡଳ ଏକ୍ସପ୍ରେସ୍, ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏବଂ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ସେହି ଦୁର୍ଘଟଣା ନିମିଷକ ମଧ୍ୟରେ ସବୁକିଛି ଓଲଟପାଲଟ କରିଦେଲା । ଲୁହାର ବଗି ଗୁଡ଼ିକ ଖେଳନା ପରି ଗୋଟିଏ ଉପରେ ଗୋଟିଏ ଚଢ଼ିଗଲେ । ୨୯୬ ଜଣଙ୍କ ଜୀବନଦୀପ ଲିଭିଗଲା ଏବଂ ହଜାରରୁ ଅଧିକ ଯାତ୍ରୀ ରକ୍ତାକ୍ତ ହୋଇ ପଡ଼ିରହିଲେ । ସେହି କଳା ରାତିରେ ଯଦି କିଛି ଜୀବନ୍ତ ଥିଲା, ତାହା ହେଉଛି ‘ମାନବିକତା’ । ବାହାନଗାର ସ୍ଥାନୀୟ ଲୋକେ ନିଜ ଜୀବନକୁ ପାଣି ଛଡ଼ାଇ ଅନ୍ଧାର ଭିତରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଲେ । କିଏ ପାଣି ମୁନ୍ଦେ ପାଇଁ ବିକଳ ହେଉଥିଲା ତ କିଏ ନିଜର କଟା ଗୋଡ଼କୁ ଧରି ସାହାଯ୍ୟ ମାଗୁଥିଲା । ସେଦିନ ଜାତି, ଧର୍ମ, ବର୍ଣ୍ଣ ସବୁ ହଜିଯାଇଥିଲା । ରକ୍ତଦାନ ପାଇଁ ଡାକ୍ତରଖାନା ବାହାରେ ଲୋକଙ୍କ ଲମ୍ବା ଲାଇନ୍ ପ୍ରମାଣ କରିଥିଲା ଯେ ମଣିଷପଣିଆ ଏବେ ବି ବଞ୍ଚିଛି । ରାଜ୍ୟ ସରକାର ଓ ପ୍ରଶାସନର ତ୍ୱରିତ ପଦକ୍ଷେପ, NDRF ଓ ଓଡ୍ରାଫ୍‌ର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଅନେକ ଜୀବନ ବଞ୍ଚାଇବା ସମ୍ଭବ ହୋଇଥିଲା ।

Leave a Reply

Your email address will not be published. Required fields are marked *