ୟୁକ୍ରେନ ଉପରେ ରୁଷର ବଡ ଧରଣର ଆକ୍ରମଣ, ଭୁଷୁଡ଼ିଗଲା ୨୪ ମହଲା ବିଲ୍ଡିଂ

ନୂଆଦିଲ୍ଲୀ,୨/୦୬: ୟୁକ୍ରେନର ପ୍ରମୁଖ ସହରଗୁଡ଼ିକ ଉପରେ ରୁଷ ଏକ ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଯେଉଁଥିରେ ୫ ଜଣ ନାଗରିକଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ୟୁକ୍ରେନର ପୂର୍ବ ପ୍ରଦେଶ ଦ୍ନିପ୍ରୋରେ ହୋଇଥିବା ଆକ୍ରମଣରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୧୬ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ରାଜଧାନୀ କିଭରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୯ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଏକ ୨୪ ମହଲା ବିଶିଷ୍ଟ ଆବାସିକ ବିଲ୍ଡିଂ ଉପରେ ମିସାଇଲ ମାଡ଼ ହେବା ଯୋଗୁଁ ତାହା ଭୁଷୁଡ଼ି ପଡ଼ିଛି ଏବଂ ଅନେକ ଲୋକ ମାଟିତଳେ ଚାପି ହୋଇ ରହିଛନ୍ତି । ସହରର ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପଡ଼ି ଗାଡ଼ିଗୁଡ଼ିକ ଜଳିଯାଇଛି ଏବଂ ଏକ ଶିଶୁ ଉଦ୍ୟାନ ନିକଟରେ ମଧ୍ୟ ନିଆଁ ଲାଗିଯାଇଛି । ଏହି ଭୟାବହ ଆକ୍ରମଣ ଯୋଗୁଁ ଜୀବନ ବଞ୍ଚାଇବା ପାଇଁ କିଭର ହଜାର ହଜାର ବାସିନ୍ଦା ସହରର ମେଟ୍ରୋ ଷ୍ଟେସନ ଏବଂ ଅନ୍ୟାନ୍ୟ ଭୂତଳ ଆଶ୍ରୟସ୍ଥଳୀରେ ଶରଣ ନେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଗତ ସୋମବାର ରାତିରେ ଦେଶବାସୀଙ୍କୁ ସତର୍କ କରାଇ କହିଥିଲେ ଯେ ରୁଷ ଏକ ବଡ଼ ଧରଣର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି, ତେଣୁ ସମସ୍ତେ ସାଇରନ୍ ପ୍ରତି ବିଶେଷ ସତର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *