ମାଲବାହୀ ଜାହାଜରେ ଦୁଇଟି ବଡ଼ ବିସ୍ଫୋରଣ, ନିଜକୁ ଦାୟୀ କଲା ଇରାନ

ନୂଆଦିଲ୍ଲୀ, ୦୨/୦୬:  ମାଲବାହୀ ଜାହାଜରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଇରାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଏହାକୁ ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କହିଛି । ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ (ଆଇଆର୍‌ଜିସି)ର ନୌସେନା ପକ୍ଷରୁ ଏହି ଆକ୍ରମଣ ସୁଚିନ୍ତିତ ଭାବରେ କରାଯାଇଥିବା କୁହାଯାଉଛି । ଇରାକୀ ଅଧିକାରୀମାନେ କହିଛନ୍ତି ଯେ ଏହି ବଡ଼ ଆକ୍ରମଣ ଇରାକର ଉମ୍ କସର୍ ବନ୍ଦରରୁ ପ୍ରାୟ ୪୦ ନଟିକାଲ୍ ମାଇଲ୍ ଦକ୍ଷିଣ-ପୂର୍ବରେ ଘଟିଛି । ଜାହାଜରେ ଦୁଇଟି ବିସ୍ଫୋରଣ ଯୋଗୁଁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଇରାନ କହିଛି,‘ସାରିସ୍କା’ ନାମକ ମାଲବାହୀ ଜାହାଜ ଉପରେ ଏକ କ୍ରୁଜ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ସିଧାସଳଖ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଇରାନର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଥିଲା। ଅନ୍ତର୍ଜାତୀୟ ସାମୁଦ୍ରିକ ସୁରକ୍ଷା ଏଜେନ୍ସି ୟୁନାଇଟେଡ୍ କିଙ୍ଗଡମ୍ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ ମଧ୍ୟ ଏହି ଭୟଙ୍କର ଘଟଣା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛି ।