ଏସ୍‌ଆଇଆରକୁ ବୈଧ ଓ ଇସିଆଇଙ୍କର ଏସ୍‌ଆଇଆର୍‌ କରିବାର ଅଧିକାର ଅଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭/୦୫: ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ଦ୍ବାରା ଦେଶରେ କରାଯାଉଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌)କୁ ବୈଧ ବୋଲି କହିଛନ୍ତି। ଇସିଆଇଙ୍କର ଏସ୍‌ଆଇଆର୍‌ କରିବାର ଅଧିକାର ଅଛି ଓ ଏହା କୌଣସି ବୈଧାନିକ କିମ୍ବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିହାରରେ ଭୋଟର ତାଲିକାର ଏସ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନଗୁଡ଼ିକ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କର ରାୟ ପ୍ରଦାନ କରିଛନ୍ତି।ଏସ୍‌ଆଇଆର୍‌ ପ୍ରକ୍ରିୟା ଅନୁଯାୟୀ ଭୋଟର ତାଲିକାରୁ ନାମ ବାଦ୍‌ ଦେବା ନାଗରିକତା ନିର୍ଣ୍ଣୟ କରେ ନାହିଁ। ସୁପ୍ରିମ‌କୋର୍ଟଙ୍କ ଏହି ରାୟ ଗୁରୁତ୍ୱପୂର୍ଣ୍ଣ କାରଣ ଆବେଦନକାରୀ ଓ ବିରୋଧୀ ଯୁକ୍ତି ଦେଇଥିଲେ ଯେ, ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏସ୍‌ଆଇଆର୍‌ ‘ବ୍ୟାକ୍‌ ଡୋର୍‌’ ବା ତ୍ରୁଟିଯୁକ୍ତ ନାଗରିକତା ଯାଞ୍ଚ ପ୍ରକ୍ରିୟା ଥିଲା। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସ୍‌ଆଇଆର୍‌ ଜରୁରୀ। ଆୟୋଗ ଭୋଟରଙ୍କ ନାଁ କାଟି ପାରିବ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଆଉ ଭାରତର ନାଗରିକ ନୁହଁନ୍ତି। ନାଗରିକତ୍ୱ ନିର୍ଣ୍ଣୟ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।