ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ, କହିଲେ ସାର୍ବଜନୀନ ସ୍ୱାର୍ଥ ଓ ଆତ୍ମସମ୍ମାନକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି

ଭୁବନେଶ୍ୱର,୨୫/୦୫: ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ଦେବାଶିଷ ବିଜେଡି ଛାଡ଼ି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣା ଏବେ ଏକ ରୋଚକ ମୋଡ଼ ସୃଷ୍ଟି କରିଛି । ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ । ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ । ଗତ କିଛି ମାସ ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ । ଦେବାଶିଷ ଇସ୍ତଫା ଦେବା ପରେ ସବୁଠି ଚର୍ଚ୍ଚା ଜୋର୍ ଧରିଛି । ସୂଚନା ଅନୁସାରେ ଦେବାଶିଷ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ସେ କୃତଜ୍ଞ କିନ୍ତୁ ଗତ କିଛି ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାମ କରିଥିଲେ ମଧ୍ୟ ତାଙ୍କୁ ଯଥେଷ୍ଟ ସମ୍ମାନ ଓ ଗୁରୁତ୍ୱ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, “ଦଳରେ ମୋତେ ବ୍ୟବସ୍ଥିତ ଭାବେ ଅପମାନିତ କରାଯାଉଥିଲା ଏବଂ ମୋର ସେବାକୁ ଦଳ ଆଉ ଆବଶ୍ୟକ ମନେ କରୁନାହିଁ ।” ଏହା ସହ ସେ ସାର୍ବଜନୀନ ସ୍ୱାର୍ଥ ଓ ଆତ୍ମସମ୍ମାନକୁ ଦୃଷ୍ଟିରେ ରଖି ଏହି କଠିନ ସିଦ୍ଧାନ୍ତ ନେଇଥିବା କହିଛନ୍ତି । ଦେବାଶିଷଙ୍କ ଇସ୍ତଫା ପରେ ରାଜ୍ୟର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *