ନୂଆଦିଲ୍ଲୀ,୧୮/୦୫: କେରଳରେ ଭିଡି ସତୀଶନ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) କେରଳ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି । ୧୪୦ ଆସନରୁ ୧୦୨ ଆସନ ଜିତିଛି । ଭି.ଡି. ସତୀଶନ ସୋମବାର ପୂର୍ବାହ୍ଣରେ ରାଜଧାନୀ ତିରୁବନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ଶପଥ ପାଠ କରିଛନ୍ତି। ସତୀଶନଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ପଦ ଏବଂ ଗୋପନୀୟତାର ସହିତ ଶପଥପାଠ କରାଇଛନ୍ତି। ତାଙ୍କ ସହିତ ୨୦ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ହୋଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତା ଯୋଗ ଦେଇଥିଲେ। ରବିବାର ପୂର୍ବରୁ ସେ କ୍ୟାବିନେଟ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ। ସେ କହିଥିଲେ ଯେ ମେଣ୍ଟ ଭିତରେ ସାମାଜିକ ଏବଂ ଆଞ୍ଚଳିକ ସନ୍ତୁଳନକୁ ବିଚାରକୁ ନେଇ ମେଣ୍ଟ ନେତାଙ୍କ ସହିତ ଆଲୋଚନା ପରେ ମନ୍ତ୍ରୀଙ୍କ ତାଲିକା ଚୂଡ଼ାନ୍ତ କରାଯାଇଥିଲା।