ଭୁବନେଶ୍ୱର,୧୭/୧୦: ଭାରତ ପାଇଁ ବଡ଼ ସଙ୍କଟ। ୨୦୨୬ରେ ଆସୁଛି ‘ସୁପର ଏଲ୍ ନିନୋ’, ୧୮୭୭ର ଭୟଙ୍କର ଦୁର୍ଭିକ୍ଷ ଇତିହାସ ଦୋହରାଇବା ଆଶଙ୍କା । ଭାରତୀୟ ପାଣିପାଗ ଏବଂ ଅର୍ଥନୀତି ପାଇଁ ଏକ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ସୁପର ଏଲ୍ ନିନୋ’ ଯୋଗୁଁ ଚଳିତ ୨୦୨୬ ବର୍ଷରେ ଭାରତୀୟ ମୌସୁମୀ ଗମ୍ଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ବିଶ୍ୱର ବିଭିନ୍ନ ପାଣିପାଗ ସଂସ୍ଥା ଏବଂ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ପ୍ରଭାବ ଯୋଗୁଁ ଦେଶରେ ପ୍ରବଳ ମରୁଡ଼ି ଏବଂ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇପାରେ, ଯାହା ଇତିହାସର ସବୁଠାରୁ ଭୟଙ୍କର କାଳଖଣ୍ଡ ୧୮୭୭ ମସିହାର ମରୁଡ଼ି ଓ ଦୁର୍ଭିକ୍ଷର ସ୍ମୃତିକୁ ମନେ ପକାଇ ଦେଉଛି । ପାଣିପାଗ ବିଶେଷଜ୍ଞ ଏବଂ ଇତିହାସକାରଙ୍କ ଅନୁଯାୟୀ, ୧୮୭୬-୧୮୭୮ ମସିହା ମଧ୍ୟରେ ଏକ ଶକ୍ତିଶାଳୀ ‘ସୁପର ଏଲ୍ ନିନୋ’ ସୃଷ୍ଟି ହୋଇଥିଲା । ବୃଷ୍ଟିପାତ ଅଭାବରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଖାଦ୍ୟ ଓ ପାଣି ବିନା ଦେଶରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।