ନୂଆଦିଲ୍ଲୀ,୧୭/୦୫: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏକ ଭୟଙ୍କର ରୂପ ଧାରଣ କରିଛି। ରୁଷର ରାଜଧାନୀ ମସ୍କୋ ସମେତ ଏକାଧିକ ଅଞ୍ଚଳ ଉପରେ ୟୁକ୍ରେନ ପକ୍ଷରୁ ୫୦୦ରୁ ଅଧିକ ଡ୍ରୋନ ଯୋଗେ ଏକ ବଡ଼ ଆକ୍ରମଣ କରାଯାଇଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସେମାନଙ୍କର ଏୟାର ଡିଫେନ୍ସ ସିଷ୍ଟମ ପ୍ରାୟ ୧୨ରୁ ଅଧିକ ଅଞ୍ଚଳରେ ୫୫୬ଟି ୟୁକ୍ରେନୀୟ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି । ମସ୍କୋ ଆଞ୍ଚଳିକ ଗଭର୍ଣ୍ଣର ଆନ୍ଦ୍ରେଇ ଭୋରୋବିୟୋଭ ସୂଚନା ଦେଇଛନ୍ତି ଯେ, ରବିବାର ଭୋର ସମୟରେ ହୋଇଥିବା ଏହି ଡ୍ରୋନ ମାଡ଼ରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି । ଏହି ଆକ୍ରମଣରେ ଅନେକ ଭିତ୍ତିଭୂମି ନଷ୍ଟ ହେବା ସହ ୪ ଜଣ ଆହତ ହୋଇଛନ୍ତି।