ଇଂଲଣ୍ଡରେ ବ୍ୟାକ୍ଟେରିଆଲ୍ ମେନିଞ୍ଜାଇଟିସ୍ ଆତଙ୍କ, ଟିକା ପାଇଁ ଲାଇନରେ ଶହ ଶହ ଲୋକ

ନୂଆଦିଲ୍ଲୀ,୨୯/୦୩: ବ୍ରିଟେନରେ ଜୀବାଣୁଜନିତ ମସ୍ତିଷ୍କ ଜ୍ୱର ବ୍ୟାକ୍ଟେରିଆଲ୍ ମେନିଞ୍ଜାଇଟିସ୍ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ମେନିଞ୍ଜାଇଟିସ୍ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଲୋକଙ୍କ ମଧ୍ୟରେ ଭୟକୁ ଆହୁରି ବୃଦ୍ଧି କରିଛି । ଏହି ପ୍ରସଙ୍ଗ ସଂସଦରେ ମଧ୍ୟ ଉଠାଯାଇଥିଲା । ସଂସଦରେ ଏକ ବିବୃତି ଦେବା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ୱେସ୍ ଷ୍ଟ୍ରିଟିଂ ଏହାକୁ ଅକଳ୍ପନୀୟ ବୋଲି କହିଥିଲେ । ଏକ ଗବେଷଣା ଅନୁଯାୟୀ, ମେନିଞ୍ଜାଇଟିସ୍ ଯୋଗୁଁ ପ୍ରତିବର୍ଷ ବିଶ୍ୱ ସ୍ତରରେ ଅଢ଼େଇ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ । ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ ମୃତକଙ୍କ ମଧ୍ୟରେ ଏକ ତୃତୀୟାଂଶ ପିଲା ରହିଥାନ୍ତି। ମୃତକଙ୍କ ମଧ୍ୟରୁ ଅନେକ ଆଫ୍ରିକୀୟ ବଂଶୋଦ୍ଭବ । ମାସ୍କ ପିନ୍ଧି ଟିକା ପାଇଁ ଶହ ଶହ ଲୋକ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମାମଲା ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ଏଜେନ୍ସିଗୁଡ଼ିକ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଅଧିକାଂଶ ମାମଲା କ୍ଲବ୍ କେମେଷ୍ଟ୍ରି ନାଇଟ୍ କ୍ଲବ୍ ସହିତ ଜଡିତ, ଯେଉଁଠାରେ ୫, ୬ ଏବଂ ୭ ମାର୍ଚ୍ଚରେ ସଂକ୍ରମିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ସତର୍କତା ସ୍ୱରୂପ କ୍ଲବ୍ ସ୍ୱେଚ୍ଛାକୃତ ଭାବରେ ବନ୍ଦ କରାଯାଇଛି । ମନ୍ତ୍ରୀ କହିଛନ୍ତି ଛୁଇଁବା, ଧୂମପାନ କରିବା ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। ଏହାର ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ୍‌ର ବ୍ୟବହାର କରାଯାଇଥାଏ। ସଂକ୍ରମଣକୁ ଗମ୍ଭୀର ବୋଲି ବିବେଚନା କରାଯାଉଛି କାରଣ ଏହା ସୀମିତ ନେଟୱାର୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବା ଦେଖାଯାଉଛି।