ରାଜ୍ୟରେ ୫ ଦିନ ଲାଗି ରହିବ ଝଡ଼ବର୍ଷା, ଏହି ସବୁ ଜିଲ୍ଲାକୁ ଆର୍ଲଟ ଜାରି

ଭୁବନେଶ୍ୱର,୨୯/୦୩: ରାଜ୍ୟରେ ଝଡ଼ବର୍ଷା ଆହୁରି ୫ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗର ଆକଳନ। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଉଥିବା ବେଳେ ପବନର ବେଗ ଅଧିକ ରହୁଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ଜନିତ ବର୍ଷା ଓ ପବନର ସମ୍ଭାବନା ରହିଛି। ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବା ଫଳରେ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଆର୍ଲଟ ଜାରି କରାଯାଇଛି । ଏଥିସହ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, କୋରାପୁଟ ଓ ମାଲକାନଗିରିରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୩ ତାରିଖ ଯାଏଁ ରାଜ୍ୟରେ ଏହିଭଳି ଝଡ଼ବର୍ଷା ହୋଇପାରେ । ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଏହିଭଳି ରହିବ। ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିପାରେ। ପରବର୍ତ୍ତୀ ଦିନରେ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।