ନୂଆଦିଲ୍ଲୀ,୨୯/୦୩: ମନ୍ କି ବାତ୍ରେ ଦୁଇ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । କେନ୍ଦ୍ରାପଡ଼ାର ଯୁବକ ଓମ୍ ପ୍ରକାଶ ରଥ ଓ ସମ୍ବଲପୁରର ମହିଳା ସୁଜାତା ଭୂୟାଁଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ରାପଡ଼ାର ଯୁବକ ଓମ୍ ପ୍ରକାଶ ମହିଳା ସଶକ୍ତିକରଣ କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ମତାମତ ଦେଇଥିବାରୁ ତାଙ୍କର ବିଚାରଧାରାକୁ ସ୍ବାଗତ କରିଛନ୍ତି ମୋଦୀ । ସେହିପରି ମାଛଚାଷ କ୍ଷେତ୍ରରେ ସମ୍ବଲପୁରର ସୁଜାତା ଭୂୟାଁଙ୍କ ସଫଳତା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ସୁଜାତା ଜଣେ ଗୃହିଣୀ ଥିଲେ । ମାତ୍ର ସେ ତାଙ୍କ ପରିବାର ଲାଗି କିଛି କରିବାକୁ ଚାହୁଥିଲେ । ପ୍ରଥମେ ସେ ହୀରାକୁଦ ଜଳଭଣ୍ଡାରରେ ମାଛ ଚାଷ ଆରମ୍ଭ କରିଥିଲେ । ଘରର ଦାୟିତ୍ବ ସହ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ତାଙ୍କୁ । ମାତ୍ର ସେସବୁ ଆଗରେ ସେ ହାର୍ ମାନିନଥିଲେ । ଆଉ ଆଜି ତାଙ୍କର ସଫଳତା ଅନ୍ୟ ମହିଳାଙ୍କୁ ଆଶାର ନୂଆ କିରଣ ଦେଖାଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହ ଜନସାଧାରଣଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନର ସମୟରେ ବିଭିନ୍ନ ପ୍ରକାରର ଗୁଜବ ଏବଂ ଭୁଲ୍ ଧାରଣା ପ୍ରସାରିତ ହେଉଛି। ତେଣୁ ନାଗରିକମାନେ କୌଣସି ପ୍ରକାରର ପ୍ରଲୋଭନ ବା ଭ୍ରମିତ ଖବରରେ ନ ପଡ଼ି ସଚେତନ ରହିବା ଉଚିତ। ବିଶ୍ୱସ୍ତରରେ ଚାଲିଥିବା ଅଶାନ୍ତି, ବିଶେଷ କରି ଆମେରିକା ଏବଂ ଇରାନ ମଧ୍ୟରେ ଉପୁଜିଥିବା ପରିସ୍ଥିତିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଶାନ୍ତି ଏବଂ ସଂଯମତା ଉପରେ ଗୁରୁତ୍ୱ ଦେଇଛନ୍ତି।