ବର୍ଷା ଦିନରେ ଗ୍ରୀଷ୍ମ ତାତି, ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ

ଭୁବନେଶ୍ୱର,୦୮/୦୯: ବର୍ଷା ଦିନରେ ଗ୍ରୀଷ୍ମ ତାତି । ଦୁର୍ବଳ ମୌସୁମୀ ପ୍ରବାହ ହେତୁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆକାଶ ବାଦଲ ଶୂନ୍ୟ ରହୁଛି । ଫଳରେ ଗତ ୩ ଦିନ ହେଲା ରାଜ୍ୟରେ ତାପମାତ୍ରା ଉପରମୁହାଁ ହୋଇଛି । ଉଚ୍ଚ ଆର୍ଦ୍ରତାର ଉପସ୍ଥିତି ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ବର୍ଷର ଅଧିକାଂଶ ସମୟ ଥଣ୍ଡା ରହୁଥିବା ପୁରୀ ସହର ଦିନକୁ ଦିନ ଉତ୍ତପ୍ତ ହେଉଛି । ସେହିପରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଲଗାତାର ଭାବେ ରାଜ୍ୟର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହେଉଛି । ଚାନ୍ଦବାଲି, ପାରାଦୀପ ପରି ଉପକୂଳବର୍ତ୍ତୀ ସହରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜୁଛି । ଗତକାଲି ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା । ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପୁରୀରେ ୩୬.୨, ଭୁବନେଶ୍ବର ଓ ନୟାଗଡ଼ରେ ୩୬ ଡିଗ୍ରି ଲେଖାଏଁ, ପାରାଦୀପରେ ୩୫.୮ ଡିଗ୍ରି, ଚାନ୍ଦବାଲିରେ ୩୫.୭, ଭଦ୍ରକରେ ୩୫.୫, ଢେଙ୍କାନାଳରେ ୩୫.୪, କଟକରେ ୩୫.୨, ଝାରସୁଗୁଡ଼ା, ଯାଜପୁର ଓ ତାଳଚେରରେ ୩୫ ଡିଗ୍ରି ରହିଥିଲା ।

Leave a Reply

Your email address will not be published. Required fields are marked *