ଆହୁରି ୪ଦିନ ଜାରି ରହିବ ଗ୍ରୀଷ୍ମ ଲହରୀ, ମେ ୨୮ ପରେ ତାପମାତ୍ରା କମିବା ନେଇ ଆକଳନ

ଭୁବନେଶ୍ୱର,୨୪/୦୫: ସାରାରାଜ୍ୟକୁ କଲବଲ କରୁଛି ଅସହ୍ୟ ତାତି ଓ ଗରମ । ପଶ୍ଚିମରେ ତାପମାତ୍ରା ଲଗାତାର ଭାବେ ୪୫ ଡିଗ୍ରୀ ରହୁଥିବାବେଳେ ଉପକୂଳରେ ଦହଗଞ୍ଜ କରୁଛି ଗୁଳଗୁଳି । ଆଦ୍ରତା ଅଧିକ ରହିବା କାରଣରୁ ଅନୁଭୂତ ହେଉଛି ଭୀଷଣ ଗରମ । ଶରୀରରୁ ଜଳିୟ ଅଂଶ ଶୁଖିଯିବା କାରଣରୁ ଲୋକେ ଅସୁସ୍ଥ ହେଉଛନ୍ତି । ଆହୁରି ୪ଦିନ ଏମିତି ସ୍ଥିତି ଜାରି ରହିବ, ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ପାଣିପାଗ ବିଭାଗର ଆକଳନ ଅନୁସାରେ ତାତିରୁ ଏବେ ନିସ୍ତାର ମିଳିବନି । ଆହୁରି ୪ରୁ ୫ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ପ୍ରଚଣ୍ଡ ସୂର୍ଯ୍ୟ କିରଣ ଏବଂ ଶୁଷ୍କ ଉତ୍ତର-ପଶ୍ଚିମା ପବନ ଯୋଗୁଁ ଝାରସୁଗୁଡ଼ା, ସମ୍ବଲପୁର,ବୌଦ୍ଧ ଓ ବଲାଂଗୀରରେ ଜିଲ୍ଲାଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା କ୍ରମାଗତ ଭାବେ ୪୩ଡିଗ୍ରୀରୁ ୪୫ ଡିଗ୍ରୀ ମଧ୍ୟରେ ରହିବ । ଏପଟେ ଉପକୂଳବର୍ତ୍ତୀ ଅଂଚଳ ଭୁବନେଶ୍ୱର, କଟକ ଏବଂ ପୁରୀରେ ବାୟୁମଣ୍ଡଳର ତାପମାତ୍ରା ସାମାନ୍ୟ କମ୍ ରହିଲେ ମଧ୍ୟ ଶାରୀରିକ ଅସ୍ୱାଭାବିକତା ଓ ଗୁଳୁଗୁଳି ବହୁତ ଅଧିକ ହେବ । ମେ ୨୮ ପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ଦୁର୍ବଳ ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ, ତଥାପି ପାଗ ଗରମ ଓ ଗୁଳୁଗୁଳିପୂର୍ଣ୍ଣ ରହିବ ।

Leave a Reply

Your email address will not be published. Required fields are marked *