ରାଜ୍ୟର ଲାଗି ରହିଛି ଗ୍ରୀଷ୍ମପ୍ରବାହ, ପ୍ରବଳ ଖରା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨୫/୦୪: ରାଜ୍ୟର ଲାଗି ରହିଛି ଗ୍ରୀଷ୍ମପ୍ରବାହ । ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରି ରହୁଛି । ଅସହ୍ୟ ଗୁଳୁଗୁଳି ଆକ୍ତାମାକ୍ତା କରୁଛି । ଏସବୁ ଭିତରେ ବିଭିନ୍ନ ପାଣିପାଗ ସଂସ୍ଥାର ଆଗୁଆ ମୌସୁମୀ ଆସିବା ଆକଳନକୁ ନେଇ ସବୁଠି ଚର୍ଚ୍ଚା । ଡହ ଡହ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା । ଦେଶର ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି ଝାରସୁଗୁଡ଼ା । ଗତ କିଛି ଦିନ ହେବ ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରି ଉପରେ ରହୁଛି । ସମ୍ବଲପୁରର ତାପମାତ୍ରା ୪୩ଡିଗ୍ରି ତଳକୁ ଖସୁନି । ରାଉରକେଲାରେ ୪୨ଡିଗ୍ରି ପାର କରି ତାଉ ଦେଖାଉଛି ତାତି । ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ଅଞ୍ଚଳରେ ଟାଇଁ ଟାଇଁ ଖରା କଲବଲ କରୁଛି ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ଗରମ ସାମାନ୍ୟ କମିଛି । ଭୁବନେଶ୍ୱରର ତାପମାତ୍ରା ୪୦ଡିଗ୍ରି ତଳକୁ ଖସି ଆସିଛି । ପୁରୀ, ପାରାଦୀପ, ବାଲେଶ୍ୱରର ତାପମାତ୍ରା ୪୦ଡିଗ୍ରି ତଳେ ରହିଛି । ଅନ୍ୟପଟେ କାଲିଠୁ ତାତି ଆହୁରି କମିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ତେବେ ୩୦ ପରଠାରୁ ପୁଣି ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ଝାରସୁଗୁଡ଼ା, ସମ୍ବଲପୁର,ବଲାଙ୍ଗୀର ଅନୁଗୁଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡା, କଟକ, ଯାଜପୁର,ଭଦ୍ରକକୁ କାଲି ପର୍ଯ୍ୟନ୍ତ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ।