ଭୁବନେଶ୍ୱର, ୨୨/୦୪: ଜଳୁଛି ଓଡ଼ିଶା । ୫ ଦିନ ଯାଏଁ ତାତିରୁ ମିଳିବନି ତ୍ରାହି । ସାରା ରାଜ୍ୟରେ ପ୍ରବଳ ଖରା ସହ ଜାରି ରହିଛି ଗରମ ଓ ଗୁଳୁଗୁଳି । ୨୩ ପରେ ୨ରୁ ୪ଡିଗ୍ରି ତାତି ବଢ଼ିପାରେ । ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ଗରମ, ଗୁଳୁଗୁଳି ସାଙ୍ଗକୁ ଉଷ୍ଣ ଓ ଆର୍ଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି । ୨୩ ପାଇଁ ବଲାଙ୍ଗୀର, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାକୁ ହିଟ୍ୱେଭ ସତର୍କତା ଜାରି ହୋଇଛି । ଦିନର ଖରା ସାଙ୍ଗକୁ ରାତି ମଧ୍ୟ ବେଶ୍ ଉଷ୍ମ ରହିବ । ୨୩ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀରକୁ ଉଷ୍ମରାତି ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୪, ୨୫ତାରିଖ ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଆସନ୍ତା ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହର ଚେତାବନୀ ଥିବା ବେଳେ ତାତିରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।