ଆସନ୍ତା ୨୯ରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା, ଯଦି ପୁରୀ ଯାଉଛନ୍ତି ଜାଣିନିଅନ୍ତୁ ଟ୍ରାଫିକ ନିୟମ

ଭୁବନେଶ୍ୱର,୨୬/୦୬: ଆସନ୍ତା ୨୯ରେ ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି । ପାର୍କିଂ ନିମନ୍ତେ ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭ, ଅର୍ଥାତ୍‌ ପ୍ରଥମେ ଆସିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ମିଳିବ। ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନାନୁସାରେ, ଦୁଇ ଚକିଆ ଯାନ ନିମନ୍ତେ, ଭୁବନେଶ୍ବର ପାର୍ଶ୍ବର କମ୍ବା ବ୍ରହ୍ମଗିରି ପାର୍ଶ୍ବରୁ କିମ୍ବା କୋଣାର୍କ ପାର୍ଶ୍ବରୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି। ଏଥିପାଇଁ ମାର୍କେଟ୍‌ କମ୍ପ୍ଲେକ୍ସ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହା ସହ ପୁରୁଣା ଜଗନ୍ନାଥ ବଲ୍ଲଭ ଠାରେ ପାର୍କିଂ ମଧ୍ୟ କରିପାରିବେ।

ସେହିପରି ଫେରିବା ସମୟରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିବା ଯାନ ନରେନ୍ଦ୍ରକୋଣ ଓ ଜଟିଆ ବାବାଜୀ ଛକ ଦେଇ ଫେରିବେ, ମ୍ୟୁନସିପାଲଟି ମାର୍କେଟ୍‌ କମ୍ପ୍ଲେକ୍ସରେ ପାର୍କିଂ କରିଥିବା ଯାନଗୁଡ଼ିକ ମେଡିକାଲ୍‌ ଛକ ଦେଇ ଫେରିବେ।
ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁ ନିଜର ଦୁଇ ଚକିଆ ଯାନଗୁଡ଼ିକ ଭିଆଇପି ରୋଡ୍‌ ଦେଇ ଦିଗବାରେଣି ଠାରେ ପାର୍କିଂ କରିବେ ଏବଂ ଫେରିବା ‌ବେଳେ ସେହି ରାସ୍ତା ଦେଇ ଫେରିବେ।