ଭୁବନେଶ୍ୱର,୦୮/୦୬: ମୌସୁମୀର ଆଗମନ ପରେ ଭାରତର ଅନେକ ଅଞ୍ଚଳରେ ବିଶେଷତଃ ଦକ୍ଷିଣ ଭାରତରେ ବର୍ଷା ପ୍ରବଳ ଗ୍ରୀଷ୍ମ ଉତ୍ତାପରୁ ଆଶ୍ବସ୍ତି ଦେଇଛି । କିନ୍ତୁ ଉତ୍ତର ଓ ମଧ୍ୟ ଭାରତରେ ପ୍ରବଳ ଗ୍ରୀଷ୍ମଲହରି ସହ ତାପମାତ୍ରା ୪୬ ଡିଗ୍ରି ସେଲସିୟସ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ-ଏନ୍ସିଆର ଓ ଉତ୍ତରପ୍ରଦେଶରେ ଦିନବେଳା ତାପମାତ୍ରା ୪୨ରୁ ୪୬ ଡିଗ୍ରି ସେଲସିୟସ ଛୁଇଁବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଜୁନ୍ ୧୦ ଓ ୧୧ରେ ତାପମାତ୍ରା ଅସହ୍ୟ ହେବାର ସମ୍ଭାବନା ରହିଛି ।ଉତ୍ତାପ ବଢ଼ିବାର ମୁଖ୍ୟ କାରଣ ହେଉଛି ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଗରମ ଓ ଶୁଷ୍କ ପବନର ଏକ ସ୍ଥିର ସ୍ରୋତ । ବୈଜ୍ଞାନିକମାନେ ଏହାକୁ ଆଡଭେକ୍ସନ୍ ବୋଲି କୁହନ୍ତି, ଯାହାର ଅର୍ଥ ହେଉଛି ପବନ ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉତ୍ତାପ ପରିବହନ । ଏଠାରେ ପବନ ଥର୍ ମରୁଭୂମି ଏବଂ ରାଜସ୍ଥାନ ଓ ପାକିସ୍ତାନର ଶୁଷ୍କ ସମତଳ ଅଞ୍ଚଳ ଦେଇ ପ୍ରବାହିତ ହୁଏ ଏବଂ ଯାତ୍ରା କରିବା ସମୟରେ ଭୂପୃଷ୍ଠରୁ ଉତ୍ତାପକୁ ଶୋଷଣ କରିଥାଏ ।